News Room Odisha
BREAKING
Odia

ଭଜନ ଗାଉ ଗାଉ ହୃଦଘାତରେ ଟଳି ପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ପାରଳାଖେମୁଣ୍ଡି: ମୃତ୍ୟୁ ଏମିତି ବି ଆସେ। କଳ୍ପନାର ବାହାରେ, ଅଚାନକ, ବିନା କୌଣସି ପୂର୍ବାଭାସରେ। ରଥଯାତ୍ରା ଉପଲକ୍ଷେ ଆୟୋଜିତ ନୈଶ ଭୋଜି ସଭାରେ ଶ୍ରୀଜଗନ୍ନାଥଙ୍କ ଭଜନ ‘ଭକତ ବିଦୁର ଶାଗ ଭଜା ନେଇ…’ ଗାଉଥିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ। ସମସ୍ତେ ତାଙ୍କ ଭଜନର ଆଉ କିଛି ବୋଲ (ଶବ୍ଦ/ସ୍ବର) ଶୁଣିବାକୁ ଚାହିଁ ରହିଥିଲେ। ହେଲେ ସଭା ମଞ୍ଚରେ ଅଚାନକ ଅସ୍ଥିର ହୋଇ ପଡ଼ିଗଲେ ସେ। ଆଉ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ [...]

Admin•July 11, 2024
Share Article:

ପାରଳାଖେମୁଣ୍ଡି: ମୃତ୍ୟୁ ଏମିତି ବି ଆସେ। କଳ୍ପନାର ବାହାରେ, ଅଚାନକ, ବିନା କୌଣସି ପୂର୍ବାଭାସରେ। ରଥଯାତ୍ରା ଉପଲକ୍ଷେ ଆୟୋଜିତ ନୈଶ ଭୋଜି ସଭାରେ ଶ୍ରୀଜଗନ୍ନାଥଙ୍କ ଭଜନ ‘ଭକତ ବିଦୁର ଶାଗ ଭଜା ନେଇ…’ ଗାଉଥିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ। ସମସ୍ତେ ତାଙ୍କ ଭଜନର ଆଉ କିଛି ବୋଲ (ଶବ୍ଦ/ସ୍ବର) ଶୁଣିବାକୁ ଚାହିଁ ରହିଥିଲେ। ହେଲେ ସଭା ମଞ୍ଚରେ ଅଚାନକ ଅସ୍ଥିର ହୋଇ ପଡ଼ିଗଲେ ସେ। ଆଉ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ହୃଦଘାତରେ ତାଙ୍କ ମୃତ୍ୟୁ ହୋଇସାରିଥିବା ଘୋଷଣା କରିଥିଲେ।

ଗତକାଲି ରାତିରେ ପାରଳାଖେମୁଣ୍ଡିସ୍ଥିତ ବୃନ୍ଦାବନ ପ୍ୟାଲେସ ଠାରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ ଭୋଜିର ଆୟୋଜନ କରିଥିଲେ। ଉକ୍ତ ସଭାରେ ଶ୍ରୀ ଦାସ ଜଗନ୍ନାଥ ଭଜନ ଗାଉଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପାରଳାଖେମୁଣ୍ଡିରେ ଶୋକର ଛାୟା ଖେଳିଯାଇଛି।

ସେପଟେ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କ ଏଭଳି ଦୁଃଖଦ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ ଜଣେ ନିଷ୍ଠାପର, ଦାୟିତ୍ଵସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା। ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

#Odia#Odisha#News
Share Article:

Related Articles