ଆଜି ଶ୍ରୀଜୀଉଙ୍କ ରଥ ଉପରେ ଅଧର ପଣା
ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି [...]
ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।
କିନ୍ତୁ କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା?
ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।
‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।
ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି । ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି ।
ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି । ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।
ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।
କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।
କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।
ଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
Next ArticleHousing and Urban Development Minister Visits Ahar Kendra at Capital Hospital
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
