News Room Odisha
BREAKING
Odia

ହନୁମାନ ଜୟନ୍ତୀ ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ: ସମ୍ବେଦନଶୀଳ ଅଞ୍ଚଳରେ ବ୍ଯାପକ ପୁଲିସ ମୁତୟନ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ଦିନ ସାରା ରାଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ପର୍ବ ର ଶୃଙ୍ଖଳିତ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ [...]

Admin•April 13, 2025
Share Article:
ହନୁମାନ ଜୟନ୍ତୀ ପାଇଁ ଡିଜିପିଙ୍କ ସମୀକ୍ଷା ବୈଠକ: ସମ୍ବେଦନଶୀଳ ଅଞ୍ଚଳରେ ବ୍ଯାପକ ପୁଲିସ ମୁତୟନ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖ ଦିନ ସାରା ରାଜ୍ୟରେ ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଳିତ ହେବାକୁ ଯାଉଛି। ଏହି ପର୍ବ ର ଶୃଙ୍ଖଳିତ ପାଳନ ଉପଲକ୍ଷେ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟ ଠାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଆଇଜି( ଗୁଇନ୍ଦା) ଜୟ ନାରାୟଣ ପଙ୍କଜଙ୍କ ସମେତ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ଆର୍ ପି କୋଚେ, ସମସ୍ତ ରେଞ୍ଜର ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପି ପ୍ରମୁଖ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

ସର୍ବପ୍ରଥମେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ବିଗତ ଦିନରେ ଶ୍ରୀ ରାମ ନବମୀକୁ ସାରା ରାଜ୍ୟରେ ଶୃଙ୍ଖଳିତ ଭାବେ ପାଳନ କରାଯାଇଥିବାରୁ ପୋଲିସ ବିଭାଗକୁ ସାଧୁବାଦ ଜଣାଇଥିଲେ। ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ ଫଳରେ ନିର୍ବିଘ୍ନ ରେ ଶ୍ରୀ ରାମ ନବମୀ ପାଳିତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ । ସେହିପରି ଆସନ୍ତା କାଲି ପାଳନ ହେବାକୁ ଯାଉଥିବା ହନୁମାନ ଜୟନ୍ତୀକୁ ମଧ୍ୟ ଶୃଙ୍ଖଳିତ ଭାବେ ପାଳନ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ସମ୍ବେଦନଶୀଳ ଜିଲ୍ଲା ଗୁଡିକରେ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଦାସର୍ବଦା ସତର୍କତା ଏବଂ ଯେକୌଣସି ପ୍ରକାର ଅଘଟଣ ସମ୍ପର୍କରେ ଆଗୁଆ ସୂଚନା ପାଇବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାସହ ଏଥିନିମନ୍ତେ ତୁରନ୍ତ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ସୋସିଆଲ ମିଡିଆରେ ଗୁଜବ, ବିଭ୍ରାନ୍ତିକର ତଥ୍ୟ ପ୍ରଘଟ ସଂକ୍ରାନ୍ତରେ ସଦାସର୍ବଦା ନଜର ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଏଥି ନିମନ୍ତେ ଜିଲ୍ଲାଗୁଡିକରେ କାର୍ଯ୍ୟ କରୁଥିବା ସାଇବର ସେଲ ଦ୍ଵାରା ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, ସନ୍ଦିଗ୍ଧ ଗାଡ଼ି, ମଦ୍ୟପାନ କରି ଗାଡ଼ି ଚାଳନା, ଚୋରା ମଦ ବିକ୍ରି ଉପରେ କଡାକଡି ଚେକିଂ, ଶୋଭାଯାତ୍ରା ଉପରେ କଟକଣା, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ମିଳିତ ସିସିଟିଭି କ୍ୟାମେରା ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ଯାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ ରାଲି ସମୟରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଏତଦବ୍ୟତୀତ, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସାଧାରଣ ଲୋକ ମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଡିଜିପି ବୈଠକରେ ଗୁରୁତ୍ୱାରୋପ କରିଥିଲେ।

ଏହି ପର୍ବପର୍ବାଣୀ ପାଳନ ବେଳେ ବାଯୁମଣ୍ଡଳର ତାପମାତ୍ରା ବୃଦ୍ଧି ସହ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ତଥା କର୍ତ୍ତବ୍ଯରେ ନିୟୋଜିତ ପୋଲିସ କର୍ମଚାରୀଙ୍କ କଲ୍ଯାଣ ନିମନ୍ତେ ଉପଯୁକ୍ତ ବନ୍ଦୋବସ୍ତ କରିବା ଉପରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ଗୁରୁତ୍ଵାରୋପ କରିଥିଲେ। ପର୍ବପର୍ବାଣୀର ଶାନ୍ତି ପୂର୍ଣ୍ଣ ତଥା ଶୃଙ୍ଖଳିତ ପାଳନ ନିମନ୍ତେ ମୁଖ୍ୟ ଶାସନ ସଚିବ ଓ ଡିଜିପି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

#Odia#Odisha#News
Share Article:

Related Articles