News Room Odisha
BREAKING
Odia

ନକଲି ୱେବସାଇଟ ବିରୋଧରେ କ୍ରାଇମବ୍ରାଞ୍ଚର ଦୃଢ କାର୍ଯ୍ୟାନୁଷ୍ଠାନ, ୨୩ ୱେବସାଇଟ ବ୍ଲକ୍

ଭୁବନେଶ୍ବର: ରାଜ୍ୟ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ ୧୫ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ଚସମୟରେ [...]

Admin•July 1, 2025
Share Article:
ନକଲି ୱେବସାଇଟ ବିରୋଧରେ କ୍ରାଇମବ୍ରାଞ୍ଚର ଦୃଢ କାର୍ଯ୍ୟାନୁଷ୍ଠାନ, ୨୩ ୱେବସାଇଟ ବ୍ଲକ୍

ଭୁବନେଶ୍ବର: ରାଜ୍ୟ କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ ୧୫ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ଚସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍‌ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍ ପରି ଦୃଶ୍ୟମାନ ହୋଇଥାଏ। ଯାହାଫଳରେ କି, ସାଧାରଣ ଲୋକଟି ପାଇଁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇପଡ଼େ। ଠକମାନେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲର ନକଲି ୱେବ ସାଇଟ୍ ପ୍ରସ୍ତୁତ କରିବା ସହ କମ ଟଙ୍କା, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସିଥାଏ। ଏହି ଠକମାନେ ପ୍ରାୟତଃ ଗୁଗୁଲ୍ ସର୍ଚ୍ଚର ଶୀର୍ଷରେ ନକଲି ୱେବସାଇଟ୍ ରଖନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଅତୀତରେ ଘଟିଥିବା ଘଟଣା ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ଟିମ୍ ସତର୍କ ରହିଛି। ଗତ ବର୍ଷ, ଏହି ପ୍ରକାରର ଠକେଇରେ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଅନେକ ଲୋକ ବହୁତ ଟଙ୍କା ହରାଇଛନ୍ତି। ଏହି ବର୍ଷ, ଟିମ୍ ୨୨ ଜୁନ୍ ୨୦୨୫ ରୁ ଆଜି ପର୍ଯ୍ୟନ୍ତ ନକଲି ହୋଟେଲ ସାଇଟ୍ ଖୋଜିବା, ସେଗୁଡ଼ିକୁ ରିପୋର୍ଟ କରିବା ଏବଂ ଯଥାଶୀଘ୍ର ସତର୍କତା ପଠାଇବା ପାଇଁ ଦିନରାତି କାମ କରୁଛି। ଚଳିତବର୍ଷ ସୁନାବେଶ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।

ଲୋକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ, କ୍ରାଇମବ୍ରାଞ୍ଚର ଅଫିସିଆଲ୍ ସାଇବର ସୁରକ୍ଷା ପେଜ ମାଧ୍ୟମରେ ଏହି ଠକେଇ ବିଷୟରେ ନିୟମିତ ସତର୍କତା ଏବଂ ସଚେତନତା ବାର୍ତ୍ତା ମଧ୍ୟ ସେୟାର କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ସୁରକ୍ଷା ଟିପ୍ସ ଏବଂ ରିଅଲ୍-ଟାଇମ୍ ଚେତାବନୀ ପାଇଁ ନାଗରିକମାନଙ୍କୁ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ @cybercopodisha କୁ ଅନୁସରଣ କରିବାକୁ ସୂଚନା ପ୍ରଦାନ କରାଯାଇଛି।

ନାଗରିକଙ୍କ ପାଇଁ ଜାରି କରାଯାଇଛି ସୁରକ୍ଷା ବାର୍ତ୍ତା: ଏଥିରେ MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦିଆଯାଇଛି।

Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍‌ଚେକ୍ କରିବା ସହ ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାଛଡା ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରି ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ ବୋଲି ଆହ୍ଵାନ ଦିଆଯାଇଛି।

ସେହିପରି ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ ନ କରିବା, ବୁକିଂ ବେଳେ ଠକାମିର ଶିକାର ହୋଇଥିବା ନେଇ ଜାଣିଲେ ତୁରନ୍ତ ୨୯୩୦ ରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

#Odia#Odisha#News
Share Article:

Related Articles