ସଲିମ ଦୁରାନୀ : ଷ୍ଟାଇଲିସ କ୍ରିକେଟର, ଦର୍ଶକ ଦାବି କଲେ ମାରୁଥିଲେ ଛକା
୧୯୬୦-୭୦ ଦଶକରେ ଭାରତର ଅନେକ କ୍ରିକେଟର ନିଜର ବିଚକ୍ଷଣ ପ୍ରଦର୍ଶନ ବଳରେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । କିଛି କ୍ରିକେଟର ଏମିତି ବି ଥିଲେ, ଯେଉଁମାନଙ୍କ କ୍ୟାରିୟର ଲମ୍ବା ନଥିଲେ ମଧ୍ୟ ନିଜର ଅଦ୍ୱିତୀୟ ପ୍ରଦର୍ଶନ ବଳରେ ଦର୍ଶକଙ୍କ ବେଶ୍ ପ୍ରିୟପାତ୍ର ହୋଇପାରିଥିଲେ । ୧୯୬୦-୭୦ ଦଶକରେ ଏମିତି ଏକ ଲୋକପ୍ରିୟ କ୍ରିକେଟର ଥିଲେ ସଲିମ ଦୁରାନୀ । ସେ ଥିଲେ ଭାରତର ପ୍ରଥମ ଷ୍ଟାଇଲିସ କ୍ରିକେଟର । ସିନେ ତାରକାଙ୍କ ଭଳି ଥିଲା ଚେହେରା ।


୧୯୬୦-୭୦ ଦଶକରେ ଭାରତର ଅନେକ କ୍ରିକେଟର ନିଜର ବିଚକ୍ଷଣ ପ୍ରଦର୍ଶନ ବଳରେ ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ । କିଛି କ୍ରିକେଟର ଏମିତି ବି ଥିଲେ, ଯେଉଁମାନଙ୍କ କ୍ୟାରିୟର ଲମ୍ବା ନଥିଲେ ମଧ୍ୟ ନିଜର ଅଦ୍ୱିତୀୟ ପ୍ରଦର୍ଶନ ବଳରେ ଦର୍ଶକଙ୍କ ବେଶ୍ ପ୍ରିୟପାତ୍ର ହୋଇପାରିଥିଲେ । ୧୯୬୦-୭୦ ଦଶକରେ ଏମିତି ଏକ ଲୋକପ୍ରିୟ କ୍ରିକେଟର ଥିଲେ ସଲିମ ଦୁରାନୀ । ସେ ଥିଲେ ଭାରତର ପ୍ରଥମ ଷ୍ଟାଇଲିସ କ୍ରିକେଟର । ସିନେ ତାରକାଙ୍କ ଭଳି ଥିଲା ଚେହେରା । ଆକ୍ରମଣାତ୍ମକ ବ୍ୟାଟିଂ, ବିଶାଳ ଛକା ମାରିବାରେ ଦୁରାନୀ ଥିଲେ ସିଦ୍ଧହସ୍ତ । ଷ୍ଟାଡିୟମରେ ଦର୍ଶକଙ୍କ ଦାବିରେ ଛକା ମାରିପାରୁଥିଲେ ଦୁରାନୀ । ଏଥିପାଇଁ ତ ଦୁରାନୀ ଥିଲେ ଦର୍ଶକଙ୍କ ଫେଭରିଟ କ୍ରିକେଟର୍ । ଦୁରାନୀ ଥିଲେ ଭାରତୀୟ କ୍ରିକେଟ ଦଳର ଅଗ୍ରଣୀ ଅଲରାଉଣ୍ଡର । ଜଣେ ସିନେ ତାରକାଙ୍କ ଭଳି ଗ୍ଲାମରସ୍ ଲୁକ୍ ଥିଲା ଦୁରାନୀଙ୍କର । ଏପରିକି ସେ ଲୋକପ୍ରିୟ ଅଭିନେତ୍ରୀ ପରବିନ ବାବିଙ୍କ ସହ ୧୯୭୩ରେ ରିଲିଜ ହୋଇଥିବା ‘ଚରିତ୍ର’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଥିଲେ ।
ଭାରତର ଏହି କିମ୍ବଦନ୍ତୀ କ୍ରିକେଟର ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି । କିନ୍ତୁ ତାଙ୍କର ସ୍ମରଣୀୟ ପ୍ରଦର୍ଶନ ଭାରତୀୟ କ୍ରିକେଟ ଦଳକୁ ଦେଇଛି କିଛି ଐତିହାସିକ ବିଜୟର ସ୍ୱାଦ ।
୧୯୩୪ ମସିହାରେ ଆଫଗାନିସ୍ତାନର କାବୁଲରେ ଜନ୍ମ ହୋଇଥିଲେ ଭାରତର ଏହି କିମ୍ବଦନ୍ତୀ କ୍ରିକେଟର । ଦୁରାନୀ ହେଉଛନ୍ତି ଆଫଗାନିସ୍ତାନରେ ଜନ୍ମ ଗ୍ରହଣ କରିଥିବା ଏକମାତ୍ର ଭାରତୀୟ କ୍ରିକେଟର । ତାଙ୍କୁ ମାତ୍ର ୮ ମାସ ହୋଇଥିବା ବେଳେ ପରିବାର କରାଚୀ ଚାଲି ଆସିଥିଲେ । ଦେଶ ବିଭାଜନ ପରେ ଦୁରାନୀଙ୍କ ପରିବାର ଭାରତ ଚାଲିଆସିଥିଲେ ।
୧୯୬୦ ମସିହାରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ସଲିମ ଦୁରାନୀ । ଜଣେ ବୋଲର ଭାବେ ହିଁ ତାଙ୍କ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା । ପରେ ନିଜକୁ ଏକ ଦକ୍ଷ ଅଲରାଉଣ୍ଡର ଭାବେ ସାବ୍ୟସ୍ତ କରିପାରିଥିଲେ ଦୁରାନୀ । ଆନ୍ତର୍ଜାତିକ କ୍ୟାରିୟର ବେଶୀ ଦିନ ନଥିଲେ ମଧ୍ୟ ନିଜର ସ୍ମରଣୀୟ ପ୍ରଦର୍ଶନ ବଳରେ ଭାରତର ଏକାଧିକ ଟେଷ୍ଟ ବିଜୟରେ କର୍ଣ୍ଣଧାର ସାଜିଥିଲେ ସଲିମ ଦୁରାନୀ । ଦୁରାନୀ ଥିଲେ ବାମହାତୀ ବ୍ୟାଟସମ୍ୟାନ ଓ ବାମହାତୀ ସ୍ପିନର । ବିପକ୍ଷ ଦଳର ଯେ କୌଣସି ଖ୍ୟାତନାମା ବୋଲରଙ୍କୁ ବେଖାତିର କରି ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଓ ଦାବି ମୁତାବକ ଛକା ମାରିବାର ବିଚକ୍ଷଣ ସାମର୍ଥ୍ୟ ହିଁ ଦୁରାନୀ ଥିଲେ ପ୍ରଶଂସକଙ୍କ ପ୍ରିୟ କ୍ରିକେଟର୍ । ୧୯୭୩ ମସିହାର ଏକ ଘଟଣାରୁ ଦୁରାନୀଙ୍କ ଲୋକପ୍ରିୟତା ପ୍ରମାଣିତ ହୁଏ । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ସଲିମ ଦୁରାନୀଙ୍କୁ ଭାରତର ଚୂଡାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା । ନିରାଶ ହୋଇଥିଲେ ଦୁରାନୀଙ୍କ ପ୍ରଶଂସକ । ମ୍ୟାଚ ବେଳେ ସାଇନବୋର୍ଡରେ ‘ନୋ ଦୁରାନୀ ନୋ ଟେଷ୍ଟ୍’ ଲେଖି ପ୍ରଶଂସକମାନେ ଅସନ୍ତୋଷ ଜାହିର କରିଥିଲେ ।
୧୯୬୧-୬୨ରେ ଇଂଲଣ୍ଡ କ୍ରିକେଟ ଦଳର ଭାରତ ଗସ୍ତରେ ଦୁରାନୀଙ୍କ ପ୍ରଦର୍ଶନ ଥିଲା ଉଲ୍ଲେଖନୀୟ । କୋଲକାତା ଓ ଚେନ୍ନାଇ ଟେଷ୍ଟରେ ଦୁରାନୀ ଯଥାକ୍ରମେ ୮ ଓ ୧୦ଟି ୱିକେଟ ନେଇ ଭାରତର ୨-୦ ସିରିଜ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜରେ ଭାରତୀୟ ଦଳର ଐତିହାସିକ ଟେଷ୍ଟ ସିରିଜ ବିଜୟରେ ବି ଦୁରାନୀଙ୍କ ପ୍ରମୁଖ ଅବଦାନ ଥିଲା । ପୋର୍ଟ ଅଫ୍ ସ୍ପେନ ଟେଷ୍ଟରେ ସେ ଗ୍ୟାରୀ ସୋବର୍ସ ଓ କ୍ଲାଇଭ ଲୟଡଙ୍କ ଭଳି ଖେଳାଳିଙ୍କୁ ଆଉଟ କରି ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହି ସିରିଜ୍ ଥିଲା ଦୁରାନୀଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ସିରିଜ୍ । ୧୯୬୭ରୁ ୧୯୭୦ ଯାଏଁ ଭାରତୀୟ ଦଳରୁ ତାଙ୍କୁ ବାଦ୍ ଦିଆଯାଇଥିଲା ।
୧୯୬୪ ମସିହାରେ ୱେଷ୍ଟଇଣ୍ଡିଜ ଗସ୍ତରେ ପୋର୍ଟ ଅଫ୍ ସ୍ପେନ ଟେଷ୍ଟରେ ଦୁରାନୀଙ୍କ ସାହସିକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଏହି ଟେଷ୍ଟ ମ୍ୟାଚରେ ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ୪୪୪ ରନ୍ କରିଥିଲା । ଜବାବରେ ଭାରତ ମାତ୍ର ୧୯୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତକୁ ମିଳିଥିଲା ଫଲୋଅନ୍ । ଭାରତୀୟ ଦଳର ଲଜ୍ଜାଜନକ ଇନିଂସ ପରାଜୟ ହେବ ବୋଲି ମନେହେଉଥିଲା । କିନ୍ତୁ ଦ୍ୱିତୀୟ ଇନିଂସରେ ସଲିମ ଦୁରାନୀ ଇଣ୍ଡିଜ ପେସ୍ ଆଟାକର ସଫଳ ମୁକାବିଲା କରି ୧୦୪ ରନର ଶତକୀୟ ଇନିଂସ ଖେଳିଥିଲେ । ପଲ୍ଲି ଉମ୍ରିଗର ବି ୧୭୨ ରନର ଇନିଂସ ଖେଳିଥିଲେ । ଦୁରାନୀ ଓ ଉମ୍ରିଗରଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୪୨୨ ରନ୍ କରିଥିଲା । ଭାରତର ମ୍ୟାଚ୍ ହାରିଥିଲେ ମଧ୍ୟ ଦୁରାନୀ ଓ ଉମ୍ରିଗରଙ୍କ ଶତକ ଯୋଗୁଁ ସମ୍ମାନ ରଖି ପାରିଥିଲା । ବିଶେଷକରି ଦୁରାନୀଙ୍କ ଶକତୀୟ ଇନିଂସ ବାବଦରେ ଆଜି ବି ଚର୍ଚ୍ଚା ହୋଇଥାଏ ।
ସଲିମ ଦୁରାନୀ ୨୯ଟି ଟେଷ୍ଟ ମ୍ୟାଚ ଖେଳି ଗୋଟିଏ ଶତକ ସହ ୧ ହଜାର ୨୦୨ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ୧୦୪ ରନ୍ ଥିଲା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋର । ବୋଲିଂରେ ସେ ଅକ୍ତିଆର କରିଥିଲେ ୭୫ଟି ୱିକେଟ୍ । ୧୭୭ ରନ ବ୍ୟୟରେ ୧୦ଟି ୱିକେଟ ହେଉଛି ଦୁରାନୀଙ୍କ ସର୍ବଶ୍ରେଷ୍ଠ ଟେଷ୍ଟ ବୋଲିଂ । ଦୁରାନୀଙ୍କ ଟେଷ୍ଟ ପରିସଂଖ୍ୟନ ସାଧାରଣ ମନେ ହେଉଥିଲେ ମଧ୍ୟ ଜଣେ ଉପଯୋଗୀ ଅଲରାଉଣ୍ଡର ଭାବେ ଭାରତର କିଛି ଐତିହାସିକ ବିଜୟରେ ଦୁରାନୀଙ୍କ ପ୍ରଦର୍ଶନ ସ୍ମରଣୀୟ ହୋଇରହିବ । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷ ମୁମ୍ବାଇ ଟେଷ୍ଟ ଥିଲା ଦୁରାନୀଙ୍କ ଶେଷ ଟେଷ୍ଟ ମ୍ୟାଚ୍ । ଯେଉଁ ଭେନ୍ୟୁରେ ଟେଷ୍ଟ କ୍ୟାରିଅର ଆରମ୍ଭ ହୋଇଥିଲା, ସେଠାରେ ହିଁ ସେ ଖେଳିଥିଲେ ଶେଷ ଟେଷ୍ଟ ମ୍ୟାଚ୍ । ଏହି ଷ୍ଟାଇଲିସ କ୍ରିକେଟର ପ୍ରଥମ ଶ୍ରେଣୀ କ୍ରିକେଟରେ ୧୪ଟି ଶତକ ସହ ୩୩ ଦଶମିକ ୩୭ ଆଭରେଜରେ ମୋଟ ୮ ହଜାର ୫୪୫ ରନ୍ ସ୍କୋର କରିଥିଲେ । ଘରୋଇ କ୍ରିକେଟରେ ଦୁରାନୀ ସୌରାଷ୍ଟ୍ର, ରାଜସ୍ଥାନ ଓ ଗୁଜରାଟ ପାଇଁ ରଣଜୀ ଟ୍ରଫି ଖେଳିଥିଲେ । ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବାରେ ସଲିମ ଦୁରାନୀ ଥିଲେ ପ୍ରଥମ କ୍ରିକେଟର ।
New Academic Session for Odisha Schools to Start from April 3, Morning Classes from April 11
Next ArticleOdisha CM Reaffirms Commitment to Remove Obstacles for Autistic People
Related Articles
Opinionଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Opinionମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
Opinionସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
