ସହସ୍ରାଧିକ ବର୍ଷର ପରମ୍ପରା ଦଣ୍ଡଯାତ୍ରା
ଲେଖକ : ପ୍ରତିଭା ନେପାକ ନାଟ୍ୟ ସଂସ୍କୃତି କୁହନ୍ତୁ କିମ୍ବା ଯାତ୍ରା ପରମ୍ପରା, ମାନବକୁ ଆଧ୍ୟାତ୍ମବାଦ ସହ ଯୋଡ଼ି ପାରୁଥିବା ଏହି ପ୍ରକ୍ରିୟା ନିଜ ଭିତରେ ଅଦ୍ବିତୀୟ। ବର୍ଷ ପରେ ବର୍ଷ ବିତି ଚାଲିଛି, ସମୟ ମଧ୍ୟ ପରିବର୍ତ୍ତତ ହେଉଛି । ତଥାପି ନିଜ ସ୍ବତନ୍ତ୍ରତା ବଜାୟ ରଖିଛି ଶିବ ଓ ଶକ୍ତିଙ୍କ ଉପାସନା ସହ ଜଡ଼ିତ ଦଣ୍ଡ ଯାତ୍ରା ବା ଦଣ୍ଡ ନାଚ । ଆମ ରାଜ୍ୟର କନ୍ଧମାଳ, ନୟାଗଡ଼, ଗଜପତି ଭଳି ଅଳ୍ପ କିଛି


ଲେଖକ : ପ୍ରତିଭା ନେପାକ
ନାଟ୍ୟ ସଂସ୍କୃତି କୁହନ୍ତୁ କିମ୍ବା ଯାତ୍ରା ପରମ୍ପରା, ମାନବକୁ ଆଧ୍ୟାତ୍ମବାଦ ସହ ଯୋଡ଼ି ପାରୁଥିବା ଏହି ପ୍ରକ୍ରିୟା ନିଜ ଭିତରେ ଅଦ୍ବିତୀୟ। ବର୍ଷ ପରେ ବର୍ଷ ବିତି ଚାଲିଛି, ସମୟ ମଧ୍ୟ ପରିବର୍ତ୍ତତ ହେଉଛି । ତଥାପି ନିଜ ସ୍ବତନ୍ତ୍ରତା ବଜାୟ ରଖିଛି ଶିବ ଓ ଶକ୍ତିଙ୍କ ଉପାସନା ସହ ଜଡ଼ିତ ଦଣ୍ଡ ଯାତ୍ରା ବା ଦଣ୍ଡ ନାଚ । ଆମ ରାଜ୍ୟର କନ୍ଧମାଳ, ନୟାଗଡ଼, ଗଜପତି ଭଳି ଅଳ୍ପ କିଛି ଜିଲ୍ଲାରେ ପ୍ରଚଳିତ । କିନ୍ତୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା ସାରା ଓଡ଼ିଶାରେ ଅନନ୍ୟ । ଗଞ୍ଜାମ ଜିଲ୍ଲାର ଜନମାନସ ସହ ଗଭୀର ଭାବେ ଜଡ଼ିତ ଯେଉଁଥିପାଇଁ ଏହି ଯାତ୍ରାରେ ସାମିଲ ହେବାକୁ ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ଭିଟାମାଟିକୁ ଫେରି ଆସନ୍ତି।
ନାମରୁ ହିଁ ଯାତ୍ରାର ପଦ୍ଧତି ବାବଦରେ ଜାଣିହୁଏ । ଯେଉଁଠି ମାନସିକଧାରୀ ଭକ୍ତ (ଦଣ୍ଡୁଆ) ନିଜ ଶରୀରକୁ କଷ୍ଟ ଦେଇ ମୋକ୍ଷପ୍ରାପ୍ତି ପାଇଁ ଦୈବୀ ଆରାଧନାରେ ନିଜକୁ ସମର୍ପିତ କରିଥାଏ । ପୌରାଣିକ ବିଶ୍ୱାସ ମୁତାବକ ଏକଦା ୧୩ ଜଣ ଅଭିଶପ୍ତ ଋଷିପୁତ୍ର କଳି ଯୁଗରେ ପୃଥିବୀପୃଷ୍ଠରେ ଜନ୍ମ ନେଇଥିଲେ। ମୋକ୍ଷପ୍ରାପ୍ତି ପାଇଁ ସେମାନେ ସନ୍ନ୍ୟାସୀତୁଲ୍ୟ ୧୩ ଦିନରାତି ଶରୀରକୁ କଷ୍ଟ ଦେଇ ନିଷ୍ଠାପୂର୍ବକ ସାଧନା କରିଥିଲେ । ଏଥିରୁ ସୃଷ୍ଟି ହୋଇଥିଲା କାମନା ଦଣ୍ଡ । ଏହାକୁ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓ ପାରମ୍ପରିକ ଲୋକନୃତ୍ୟ ଭାବେ ପରିଗଣିତ କରାଯାଇଥାଏ । ଲୋକ ସଂସ୍କୃତି ଗବେଷକଙ୍କ ମତରେ ଏହା ବିଶ୍ଵର ଏକମାତ୍ର ଲୋକନୃତ୍ୟ ଯାହା ୧୬ଟି ବ୍ୟବସ୍ଥାକୁ ନେଇ ଗତିଶୀଳ। ରାଜ୍ୟର ଅନ୍ୟତ୍ର ଦଣ୍ଡ ନାଚରେ ମନୋରଞ୍ଜନ ଓ ଶରୀରର କିଛିଟା ଭାବଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗଞ୍ଜାମ ଦଣ୍ଡ ଯାତ୍ରାର ବିଶେଷତ୍ୱ ହେଉଛି ଅଗ୍ନିଶମ ଜଳି ନିଜ ଶରୀରକୁ କଷ୍ଟ ଦେଇ ଶୁଦ୍ଧପୁତ ହେବା । ଏହାହିଁ ହଜାର ହଜାର ବର୍ଷର ବିଧି ମଧ୍ୟରେ ସମାହିତ।
ଦଣ୍ଡଯାତ୍ରାର ଅବଧି ଭିନ୍ନ ଭିନ୍ନ ଯଥା ୨୧ ଦିନିଆ, ୧୮ ଦିନିଆ ଓ ୧୩ ଦିନିଆ । ସାଧାରଣତଃ ଚୈତ୍ର ପ୍ରତିପଦା ଠାରୁ ମାସନ୍ତ ପର୍ଯ୍ୟନ୍ତ ହୁଏ ଦଣ୍ଡ ନାଚ ଯାହା ସଂକ୍ରାନ୍ତି ତିଥିରେ ମେରୁ ଯାତ୍ରା ଭାବେ ଶେଷ ହୁଏ । ମାନସିକଧାରୀମାନେ ନିଜ ଅଞ୍ଚଳର ଦଣ୍ଡ ନାଚ ଦଳ ସହ ସାମିଲ ହେବା ପାଇଁ ନିବେଦନ କରିଥାନ୍ତି । ଯାତ୍ରା ପୂର୍ବଦିନ ଦଣ୍ଡୁଆମାନେ ଦେବୀ ମନ୍ଦିରରେ ଅଧିଆ ପଡ଼ିବା ସହ ନିର୍ଜଳ ଉପବାସ ରୁହନ୍ତି । ପର ଦିନ ମାଆଙ୍କ ମୁଖ୍ୟ ଆୟୁଧ ଦଣ୍ଡ ମିଳିବା ପରେ ପାଟ ଦଣ୍ଡୁଆଙ୍କ ସହ ଗ୍ରାମ ପରିକ୍ରମା କରି ପୋଖରୀରେ ସ୍ନାନାଦି ପରେ କାନ୍ଦୁଲ କାଠିକୁ ଘଷି ସେଥିରୁ ଅଗ୍ନି ଉତ୍ପନ୍ନ କରନ୍ତି । ଅଗ୍ନିସ୍ଥାପନ ସହ ଆରମ୍ଭ ହୁଏ ଦଣ୍ଡ ଯାତ୍ରା । ମାଆଙ୍କ ପୂଜା, ହୋମ, ଭୋଗ ଅର୍ପଣ କରାଯାଏ। ଦଳ ସହ ସର୍ବଦା ଥାଏ ଶକ୍ତିଙ୍କ ପ୍ରତୀକ ପ୍ରଭା ଓ ମହାଦେବଙ୍କ ମୂର୍ତ୍ତି । ପାଳ ଗୁଡ଼ାଇ ଗୁଡ଼ାଇ ତିଆରି କରାଯାଇଥାଏ ଗଦି, ଯେଉଁଥିରେ ଦଣ୍ଡ ନାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ସର୍ବଦା ପ୍ରଜଳିତ ରହିଥାଏ । ପୂଜା, ଦୀପ ପ୍ରଜ୍ଜଳନ, ରୋଷେଇ ଆଦି ପାଇଁ ଏଥିରୁ ହିଁ ଅଗ୍ନି ସଂଯୋଗ କରାଯାଏ । ଖୋଲା ପଡ଼ିଆ, ଗ୍ରାମ/ବସତି ବାହାରେ, ନିକାଞ୍ଚନ ଜାଗାରେ ରହିଥାନ୍ତି ଦଣ୍ଡୁଆ । ଭୋଜନ, ଶୟନ, ବିଚରଣ ସବୁକିଛି ଧରାବନ୍ଧା ନିୟମ ଭିତରେ କରିବାକୁ ହୁଏ । ଭୋଜନ ପାଇଁ କଟା ବଟା ମନା, ଥରେ ହିଁ ପ୍ରସାଦ ରୋଷେଇ ଓ ସେବନ ହୁଏ । ସେହି ସମୟରେ କୌଣସି ଶବ୍ଦ ନ ହେବା ବିଧେୟ । ନାରୀ ସଙ୍ଗ, ମୈଥୁନ, ଆମିଷ ଆଦି ସମ୍ପୂର୍ଣ୍ଣ ବାରଣ। ଦଣ୍ଡୁଆମାନଙ୍କ ପାଇଁ ନାରୀ ହେଉଛନ୍ତି ମାତୃ ବା ଦୈବୀଶକ୍ତିର ପ୍ରତୀକ। ନିଷ୍ଠାପର ଜୀବନ ଜୀଉଁଥିବାରୁ ଯାତ୍ରା ବେଳେ କୌଣସି ଛୁଆଁଅଛୁଆଁ, ମୃତ୍ୟୁ ବା ଜନ୍ମଜନିତ କଟକଣା ଏମାନଙ୍କ ଉପରେ ଲାଗୁ ହୁଏନି। ଦଣ୍ଡୁଆମାନଙ୍କ ହାତରେ ଥିବା ଦଣ୍ଡ ଓ ମୟୁର ପୁଞ୍ଛରେ ପିଲାମାନେ ଝାଡ଼ି ହେଲେ ରୋଗ ଓ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି।
ଦଣ୍ଡ ନାଚରେ ପ୍ରତ୍ୟହ ପାଳିତ ହୁଏ ୧୬ଟି ବିଧି ବା ଦଣ୍ଡ। ଯାତ୍ରା ଆୟୋଜକଙ୍କ ଘର ଆଗରେ ପତାକା ସ୍ଥାପନରୁ ଆରମ୍ଭ ହୁଏ ପ୍ରକ୍ରିୟା । ମଧ୍ୟାହ୍ନରେ ଧୂଳି ଦଣ୍ଡ ବେଳେ ପ୍ରଚଣ୍ଡ ଖରାରେ ମାଟି ବା ଧୂଳିରେ ଗଡ଼ି ଶରୀରକୁ କଷ୍ଟ ଦେଇ ନାଚ ହୁଏ । ତା ପରେ ପୋଖରୀରେ ପାଣି ଦଣ୍ଡ ଓ ନିଜ ରହଣୀସ୍ଥଳରେ ଅଗ୍ନି ଦଣ୍ଡ କରିବା ପରେ ମଧ୍ୟରାତ୍ରରେ ପୁଣି କର୍ତ୍ତାଙ୍କ ଘରକୁ ଆସନ୍ତି ଦଣ୍ଡୁଆ । ସେଠାରେ ପୂଜାର୍ଚ୍ଚନା ସହ ହୁଏ ନୃତ୍ୟ ପ୍ରଦର୍ଶନ । ସମ୍ପୂର୍ଣ୍ଣ ଶୟନ ନିଷେଧ ଥିବାରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଦଣ୍ଡୁଆଙ୍କୁ ନୃତ୍ୟ ଜରିଆରେ ଭଗବାନଙ୍କ ବିଭିନ୍ନ ଆଖ୍ୟାନ ଶୁଣାଯାଏ । ଦଣ୍ଡ ଯାତ୍ରାରେ ଦେଖିବାକୁ ମିଳେ ପାରମ୍ପରିକ ଚଢ଼େୟା- ଚଢ଼େୟାଣୀ, ନଟ- ନଟୀ, ଶବର- ଶବରୁଣୀ, ଧୋବା- ଧୋବଣୀ, କେଳା- କେଳୁଣୀଙ୍କ ନାଟ। ପାହାନ୍ତା ପ୍ରହରରେ ବୀଣାକାର ବିଭିନ୍ନ ଦଣ୍ଡ ସୁଆଙ୍ଗ (ଗୀତ) ଶୁଣାଇଥାନ୍ତି । ଏହା ପରେ କର୍ତ୍ତାଙ୍କ ଭବନ ଆଗରୁ ବିଦାୟ ନେଇଥାନ୍ତି ଦଣ୍ଡ ଦଳ। ସଂକ୍ରାନ୍ତି ତିଥିରେ ଦଣ୍ଡ ଦଳ ନିଜ ଗ୍ରାମକୁ ଫେରନ୍ତି । ସମାରୋପ କୁହାଯାଉଥିବା ମେରୁ ପର୍ବରେ ବିଭିନ୍ନ ନୀତି ସମ୍ପନ୍ନ ପରେ ଓଲଟା କରି ନିଆଁର ଧାସ ଉପରେ କିଛି ସମୟ ଝୁଲନ୍ତି ପାଟ ଦଣ୍ଡୁଆ। ଏହା ଏତେ କଷ୍ଟଦାୟକ ଯେ ଶରୀରରୁ ରକ୍ତ ସୁଦ୍ଧା ନିର୍ଗତ ହୋଇପଡ଼େ ଓ ଅନେକ ସମୟରେ ସେ ଅଚେତ ହୋଇଯାଆନ୍ତି।
ତେବେ ଆଜିକାଲି ଆଧୁନିକତାର ପ୍ରଭାବ ଦଣ୍ଡ ନାଚକୁ କଳୁଷିତ କରୁଥିବା ଅଭିଯୋଗ ହେଉଛି । ରାତିରେ ପୌରାଣିକ ବାଖ୍ୟାନ ପରିବର୍ତ୍ତେ ଆଧୁନିକ ନୃତ୍ୟ ପ୍ରଦର୍ଶନ ହେଉ ବା ସେଥିରେ ମହିଳାଙ୍କ ନାଚ, ପରମ୍ପରାର ବ୍ୟତିକ୍ରମ ଚଳଣୀକୁ ଗ୍ରହଣ କରିବା ଚିନ୍ତାଜନକ ବୋଲି କହନ୍ତି ସଂସ୍କୃତି ବିଶେଷଜ୍ଞ । ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗରର ଗାଲେରୀ ଦଣ୍ଡ ଯାତ୍ରା ଓ ଶେରଗଡର କୁଲାଡ଼ି ଦଣ୍ଡ ନାଚ ନିଜ ବୃହତ୍ ଆକାର (ସହସ୍ରାଧିକ ଦଣ୍ଡୁଆ ସାମିଲ ହୁଅନ୍ତି) ପାଇଁ ପ୍ରସିଦ୍ଧ। ଏହାର ଚାହିଦା ଏତେ ଅଧିକ ଯେ ଲଟେରୀ ମାଧ୍ୟମରେ ମାଆଙ୍କ ଯାତ୍ରା ପାଇଁ ଆୟୋଜକଙ୍କ ସକାଶେ ଦିବସ ଧାର୍ଯ୍ୟ ହୋଇଥାଏ। ଭାତୃତ୍ବ ଭାବନା, ତ୍ୟାଗପୁତ ଦୈବୀ ସାଧନାର ପ୍ରତୀକ ଦଣ୍ଡ ଯାତ୍ରା। ସେଥିପାଇଁ ତ ବାହାରେ କାମ କରୁଥିଲେ ମଧ୍ୟ ମାନସିକଧାରୀ ଗାଁକୁ ଫେରି ଦଣ୍ଡ ଦଳରେ ସାମିଲ ହୋଇଥାନ୍ତି । ଯଦିଓ କରୋନା ମହାମାରୀ ଗତବର୍ଷ ଦଣ୍ଡଯାତ୍ରାରେ ବାଧକ ସାଜିଥିଲା, ତେବେ ଚଳିତ ବର୍ଷ କଟକଣା ମଧ୍ୟରେ ଆରମ୍ଭ ହୋଇଛି ଦଣ୍ଡ ଯାତ୍ରା ଯାହା ଗାଁ ଗାଁରୁ ଆରମ୍ଭ କରି ସହରରେ ଆଧ୍ୟାତ୍ମିକ ମାହୋଲ ବ୍ୟାପ୍ତ କରିବାରେ ଲାଗିଛି । ଯଦିଓ ଏଥର କଟକଣା ଯୋଗୁଁ ଦଣ୍ଡୁଆ ସଂଖ୍ୟା ସୀମିତ ରହିଛି, ତେବେ ଆଧ୍ୟାତ୍ମିକ ଭାବନା ହ୍ରାସ ପାଇନି । ଶହ ଶହ ବର୍ଷ ପୁରାତନ ପରମ୍ପରା ଅତୁଟ ରହିଛି।
ଲେଖକ ତଥା ଇତିହାସ ଗବେଷକ
Secy to CM (5T) Launches Schools Transformation Initiative in Gajapati Dist
Next ArticleLargest Odisha Map Made From Scrap Inaugurated In Berhampur
Related Articles
Opinionଗଞ୍ଜାମ ଜିଲ୍ଲାର ପ୍ରାଚୀନ ଲୋକନୃତ୍ୟ ଦଣ୍ଡ ନାଚ, କାଲି ମେରୁ ଯାତ୍ରା
ବ୍ରହ୍ମପୁର: କାହିଁ କେଉଁ ଆବହମାନ କାଳରୁ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରୁ ଆରମ୍ଭ କରି ସହରାଞ୍ଚଳ ଯାଏଁ ଚୈତ୍ର ମାସରେ ଦଣ୍ଡ ନାଚ ହୋଇ ଆସୁଛି। ଗୋଟିଏ ପଟେ ସ୍ଥାନୀୟ ଜନଜୀବନର ପ୍ରତିଫଳନ କରୁଥିବା ଲୋକପରମ୍ପରା ଆଧାରିତ ନୃତ୍ୟ ସଙ୍ଗୀତ ତ ଆରପଟେ କଠିନତମ ସାଧନା କରି ଦୈବୀ କୃପା ହାସଲ କରିବା ନିମନ୍ତେ କଠୋର ସାଧନାର ଝଲକ ଯେଉଁଠି ଦେଖିବାକୁ ମିଳିଥାଏ ତାହା ହେଉଛି ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା। ଜିଲ୍ଲାରେ ଗତ କିଛି ଦିନ [...]
Opinionମିଡିଆ ମୋଗଲ ରାମୋଜୀ ରାଓ : ସାମ୍ବାଦିକତା ଓ ସିନେମାର ବିପ୍ଲବୀ ପୁରୁଷ
ଲେଖକ: ବିଜନ କୁମାର ମହାପାତ୍ର ‘ମୁକ୍ତାର ସହର’ ହାଇଦ୍ରାବାଦ ଉପକଣ୍ଠରେ ପ୍ରତିଷ୍ଠା ହୋଇଛି ବିଶ୍ୱର ବୃହତ୍ତମ ଫିଲ୍ମ ଷ୍ଟୁଡିଅ କମ୍ପେକ୍ଲ୍ସ – ‘ରାମୋଜୀ ଫିଲ୍ମ ସିଟି’ । ୧୯୯୬ ମସିହାରେ ଏହି ବିଶାଳ ଷ୍ଟୁଡିଅ କମ୍ପେକ୍ଲସର ଶୁଭାରମ୍ଭ ଅବସରରେ ଏହାର ପ୍ରତିଷ୍ଠାତା ମିଡିଆ ମୋଗଲ ରାମୋଜୀ ରାଓ କିଛି ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିବା ଅବସରରେ କହିଥିଲେ ଯେ, ‘ଫିଲ୍ମ ନିର୍ମାତାମାନେ ସ୍କ୍ରିପ୍ଟ ଧରି ଏଠାକୁ ଆସନ୍ତୁ ଓ ସଂପୂର୍ଣ୍ଣ ଫିଲ୍ମ ଧରି ଏଠାରୁ ଯାଆନ୍ତୁ ।’ [...]
Opinionସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ
ବିଜନ କୁମାର ମହାପାତ୍ର ୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ [...]
