News Room Odisha
BREAKING
Odia

ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆବୁଧାବି: ସ୍ବାମୀନାରାୟଣ ସମ୍ପ୍ରଦାୟର ପଦାଧିକାରୀଙ୍କ ଉପସ୍ଥିତିରେ ଓ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ହାଲୁକା ଗୋଲାପୀ ରେଶମ କୁର୍ତ୍ତା-ପାଇଜାମା, ବାହୁ ବିହୀନ ଜ୍ୟାକେଟ୍ ଏବଂ ଉତ୍ତରୀୟ ପରିଧାନ କରି ପ୍ରଧାନମନ୍ତ୍ରୀ ମନ୍ଦିରର ଲୋକାର୍ପଣ ଉତ୍ସବ ଅବସରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ବିଶ୍ବ ଆଳତୀ’ରେ ମଧ୍ୟ ଭାଗ ନେଇଥିଲ । ଏହି ଭବ୍ୟ ମନ୍ଦିର ବୋଚାସନବାସୀ ଶ୍ରୀ ଅକ୍ଷୟ ପୁରୁଷୋତ୍ତମ ସ୍ବାମୀନାରାୟଣ [...]

Admin•February 14, 2024
Share Article:

ଆବୁଧାବି: ସ୍ବାମୀନାରାୟଣ ସମ୍ପ୍ରଦାୟର ପଦାଧିକାରୀଙ୍କ ଉପସ୍ଥିତିରେ ଓ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି । ହାଲୁକା ଗୋଲାପୀ ରେଶମ କୁର୍ତ୍ତା-ପାଇଜାମା, ବାହୁ ବିହୀନ ଜ୍ୟାକେଟ୍ ଏବଂ ଉତ୍ତରୀୟ ପରିଧାନ କରି ପ୍ରଧାନମନ୍ତ୍ରୀ ମନ୍ଦିରର ଲୋକାର୍ପଣ ଉତ୍ସବ ଅବସରରେ ଅନୁଷ୍ଠିତ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ‘ବିଶ୍ବ ଆଳତୀ’ରେ ମଧ୍ୟ ଭାଗ ନେଇଥିଲ । ଏହି ଭବ୍ୟ ମନ୍ଦିର ବୋଚାସନବାସୀ ଶ୍ରୀ ଅକ୍ଷୟ ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (ବିଏପିଏସ୍) ଦ୍ୱାରା ନିର୍ମାଣ କରାଯାଇଛି ।

ଏହା ପୂର୍ବରୁ ମୋଦୀ ଏଠାରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ । ଦୁବାଇ-ଆବୁଧାବି ଶେଖ ଜାଏଦ ରାଜପଥରେ ଅଲ ରହବା ନିକଟରେ ୨୭ ଏକର ଜମିରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ମନ୍ଦିର। ମନ୍ଦିରର ଉଦଘାଟନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ କୃତ୍ରିମ ଭାବେ ନିର୍ମିତ ଗଙ୍ଗା ଏବଂ ଯମୁନା ନଦୀରେ ଜଳାର୍ପଣ କରିଥିଲେ। ମନ୍ଦିର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଶିଳ୍ପ ଏବଂ ସ୍ଥାପତ୍ୟ ଶାସ୍ତ୍ର ଏବଂ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ପ୍ରାଚୀନ ନିର୍ମାଣ ଶୈଳୀ ଅନୁଯାୟୀ ଏହି ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି।

ସ୍ବାମୀନାରାୟଣ ସମ୍ପ୍ରଦାୟର ଅନ୍ତର୍ଜାତୀୟ ସମ୍ପର୍କ ମୁଖ୍ୟ ବ୍ରହ୍ମବିହାରୀଦାସ କହିଛନ୍ତିି, ଏଠାରେ ସ୍ଥାପତ୍ୟ କଳାକୁ ବୈଜ୍ଞାନିକ ପଦ୍ଧତି ସହ ଯୋଡାଯାଇଛି | ତାପମାତ୍ରା, ଚାପ ଏବଂ ଗତି (ଭୂକମ୍ପ ଗତିବିଧି) ମାପିବା ପାଇଁ ମନ୍ଦିରର ପ୍ରତ୍ୟେକ ସ୍ତରରେ ୩୦୦ରୁ ଅଧିକ ହାଇ-ଟେକ୍ ସେନ୍ସର ଲଗାଯାଇଛି । ଏହି ସେନ୍ସରଗୁଡ଼ିକ ଲାଇଭ୍ ଡାଟା ପ୍ରଦାନ କରିବେ। ଯଦି ଏହି ଅଞ୍ଚଳରେ ଭୂକମ୍ପ ଆସେ, ତେବେ ମନ୍ଦିରରେ ଲାଗିଥିବା ହାଇ-ଟେକ୍ ସେନ୍ସର ଆଗୁଆ ସୂଚନା ଦେବ ।

ମନ୍ଦିର ନିର୍ମାଣରେ କୌଣସି ଧାତୁ ବ୍ୟବହାର କରାଯାଇ ନାହିଁ । ମନ୍ଦିରର ନିଅଁ ଗଢ଼ିବା ପାଇଁ କଂକ୍ରିଟ ମିଶ୍ରଣରେ ୫୫ ପ୍ରତିଶତ ସିମେଣ୍ଟ ବଦଳରେ ଫ୍ଲାଏ ଆଶ୍ ବ୍ୟବହାର କରାଯାଇଛି | ମନ୍ଦିରର ନିର୍ମାଣ ପରିଚାଳକ ମଧୁସୂଦନ ପଟେଲ କହିଛନ୍ତି, ପାରମ୍ପାରିକ ପଥର କାରିଗରୀ ଏବଂ ଆଧୁନିକ କାରିଗର ମିଶ୍ରଣରେ ଆମେ ତାପମାତ୍ରା ପ୍ରତିରୋଧକାରୀ ମାଇକ୍ରୋ ଟାଇଲ୍ ଓ ଭାରୀ କାଚ ପ୍ୟାନେଲ ବ୍ୟବହାର କରିଛୁ। ୟୁଏଇର ଗରମ ପରିବେଶକୁ ଦୃଷ୍ଟିରେ ରଖି ଏପରି ଟାଇଲ୍ ବ୍ୟବହାର କରାଯାଇଛି, ଯେଉଁଥିରେ ଚାଲିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସୁବିଧା ହେବ । ଅଯୋଧ୍ୟାରେ ରାମ ମନ୍ଦିର ଭଳି ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ନାଗର ଶୈଳୀରେ ନିର୍ମାଣ କରାଯାଇଛି।

ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ବହୁ ସଂଖ୍ୟାରେ ଭାରତୀୟ ନାଗରିକମାନେ ଉତ୍ସାହର ସହିତ ସାମିଲ ହୋଇଥିଲେ । ଏହି ମନ୍ଦିର ଆବୁଧାବିରେ ରହୁଥିବା ଓଡ଼ିଆ ଲୋକଙ୍କ ପାଇଁ ମଧ୍ୟ ବିଶେଷ ମହତ୍ତ୍ଵ ରଖୁଛି । କାରଣ ଏହା ୟୁଏଇର ପ୍ରଥମ ମନ୍ଦିର ଯେଉଁଠାରେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି। ଏଠାରେ ଏକ ତୈଳ ଓ ଗ୍ୟାସ କମ୍ପାନୀରେ କାମ କରୁଥିବା କାର୍ତ୍ତିକ ସିଂହ କହିଛନ୍ତି, ‘ୟୁଏଇର ଅନ୍ୟ ଅଞ୍ଚଳରେ ମଧ୍ୟ ମନ୍ଦିର ଅଛି । କିନ୍ତୁ କେଉଁଠି ଭଗବାନ ଜଗନ୍ନାଥଙ୍କର ମୂର୍ତ୍ତି ନାହିଁ। ଏହା ଆମ ପାଇଁ ଏକ ଅଦ୍ଭୁତପୂର୍ବ ମୁହୂର୍ତ୍ତ ବୋଲି ସେ କହିଛନ୍ତିି ।

#Odia#Odisha#News
Share Article:

Related Articles