News Room Odisha
BREAKING
Odia

ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମସ୍ତ ତଥ୍ୟ ଦାଖଲ କଲା ଏସବିଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଗୁରୁବାର (ମାର୍ଚ୍ଚ ୨୧) ନିର୍ବାଚନ କମିଶନଙ୍କୁ ଦେଇଛି। ଏସବିଆଇ ଅଧ୍ୟକ୍ଷ ଏନେଇ ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତିି । ଦାଖଲ ତଥ୍ୟରେ ନିର୍ବାଚନୀ ବଣ୍ଡର କ୍ରମିକ ନମ୍ବର ଓ କୋଡ୍ ମଧ୍ୟ ରହିଛି ବୋଲି ଏସବିଆଇ କହିଛି। ଅଦାଲତ ଏସବିଆଇକୁ ଆଜି ଅପରାହ୍ନ ୫ଟା ଯାଏଁ ସମୟ ଦେଇଥିଲେ । ତେବେ ଏସବିଆଇ ଅପରାହ୍ନ [...]

Admin•March 21, 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଗୁରୁବାର (ମାର୍ଚ୍ଚ ୨୧) ନିର୍ବାଚନ କମିଶନଙ୍କୁ ଦେଇଛି। ଏସବିଆଇ ଅଧ୍ୟକ୍ଷ ଏନେଇ ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତିି । ଦାଖଲ ତଥ୍ୟରେ ନିର୍ବାଚନୀ ବଣ୍ଡର କ୍ରମିକ ନମ୍ବର ଓ କୋଡ୍ ମଧ୍ୟ ରହିଛି ବୋଲି ଏସବିଆଇ କହିଛି। ଅଦାଲତ ଏସବିଆଇକୁ ଆଜି ଅପରାହ୍ନ ୫ଟା ଯାଏଁ ସମୟ ଦେଇଥିଲେ । ତେବେ ଏସବିଆଇ ଅପରାହ୍ନ ୩.୩୦ରେ ନିର୍ବାଚନୀ ବଣ୍ଡ୍ ତଥ୍ୟ ଦାଖଲ କରିଛି ।

ମାର୍ଚ୍ଚ ୧୮ର ହୋଇଥିବା ଶୁଣାଣିରେ ନିର୍ବାଚନୀ ବଣ୍ଡ୍ ନମ୍ବର ପ୍ରକାଶ କରିନଥିବାରୁ ସୁପ୍ରିମକୋର୍ଟ ଏସବିଆଇକୁ ଭର୍ତ୍ସନା କରିଥିଲେ । ବଣ୍ଡର ୟୁନିକ ‘ଆଲଫା ନ୍ୟୁମେରିକ୍ ନମ୍ବର’ ଓ କ୍ରମିକ ନମ୍ବର ସହ ସମସ୍ତ ତଥ୍ୟ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖାରା ସତ୍ୟପାଠରେ କହିଛନ୍ତି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ କେଓ୍ବାଇସି ବ୍ୟତୀତ ଆଉ କୌଣସି ତଥ୍ୟ ଲୁଚାଯାଇ ନାହିଁ। ସୁରକ୍ଷା କାରଣରୁ ଦାତା ଏବଂ ରାଜନୈତିକ ଦଳ ଗୁଡିକର କେଓ୍ବାଇସି ନମ୍ବର ସାର୍ବଜନୀନ କରାଯାଇ ନାହିଁ |

ଏହା ପୂର୍ବରୁ ମାର୍ଚ୍ଚ ୧୧ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏସବିଆଇ ଦେଇଥିବା ତଥ୍ୟରେ ନିର୍ବାଚନୀ ବଣ୍ଡର ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର ନଥିଲା।

ନିର୍ବାଚନୀ ବଣ୍ଡର ଏକ ‘ଆଲଫା ନ୍ୟୁମେରିକ୍ ନମ୍ବର’ ରହିଛି ଯାହା ଖାଲି ଆଖିରେ ଦେଖାଯାଏ ନାହିଁ। ଏହି ସ୍ବତନ୍ତ୍ର ନମ୍ବର କେବଳ ଅଲଟ୍ରା ଭାଓଲେଟ୍ ଆଲୋକରେ ଦୃଶ୍ୟମାନ ହେବ । ଏହି ସ୍ବତନ୍ତ୍ର ନମ୍ବର ଦ୍ଵାରା କେଉଁ ସଂସ୍ଥା କେଉଁ ରାଜନୈତିକ ଦଳକୁ କେତେ ଚାନ୍ଦା ଦେଇଛି ସେନେଇ ମେଳ କରାଯାଇ ପାରିବ।

#Odia#Odisha#News
Share Article:

Related Articles