News Room Odisha
BREAKING
Odia

ନିର୍ବାଚନୀ ବଣ୍ଡ୍ ମାମଲାରେ ଷ୍ଟେଟ୍ ବ୍ୟାଙ୍କର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଆସନ୍ତାକାଲି (ମାର୍ଚ୍ଚ ୧୨) ସୁଦ୍ଧା ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ବିବରଣୀ ଦାଖଲ କରିବାକୁ ଏସବିଆଇକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁପ୍ରିମକୋର୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଚେତାବନୀ ମଧ୍ୟ ଦେଇଛନ୍ତି [...]

Admin•March 11, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି । ଆସନ୍ତାକାଲି (ମାର୍ଚ୍ଚ ୧୨) ସୁଦ୍ଧା ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ବିବରଣୀ ଦାଖଲ କରିବାକୁ ଏସବିଆଇକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ଆଦେଶର ଖିଲାପ କଲେ ଏସବିଆଇ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁପ୍ରିମକୋର୍ଟ ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଏହାଛଡ଼ା କୋର୍ଟ ନିର୍ବାଚନ କମିଶନକୁ ମାର୍ଚ୍ଚ ୧୫ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ତଥ୍ୟ ସଂଗ୍ରହ କରି ଏହାର ଅଫିସିଆଲ୍ ୱେବସାଇଟରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସବିଆଇ ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟରେ ଏକ ଆବେଦନ ଜରିଆରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା ।

ଏସବିଆଇର ଏହି ଆବେଦନ ଉପରେ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆଜି ଶୁଣାଣି କରିଥିଲେ । ସମୟସୀମା ବଢ଼ାଇବା ପାଇଁ ଏସବିଆଇର ଆବେଦନ ଉପରେ ପ୍ରଶ୍ନ ଉଠାଇଥିଲେ କୋର୍ଟ । ଏ ସମ୍ପର୍କରେ ଫେବୃଆରୀ ୧୫ରେ ଆଦେଶ ଜାରି ହୋଇଥିଲେ ମଧ୍ୟ ଏସବିଆଇ ଏହି ୨୬ ଦିନ ଧରି କ’ଣ କରୁଥିଲା ବୋଲି ସୁପ୍ରିମକୋର୍ଟ ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଶ୍ନ କରିଥିଲେ ।

ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର୍ ଗଭାଇ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଅନ୍ୟତମ ସଦସ୍ୟ ଥିଲେ ।

ଫେବୃଆରୀ ୧୫ରେ ଏକ ଐତିହାସିକ ରାୟରେ ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଘୋଷଣା କରିଥିଲେ । ଏହା ବାକ୍ ସ୍ବାଧୀନତା ଓ ସୂଚନା ଅଧିକାରର‌ ଉଲ୍ଲଙ୍ଘନ ବୋଲି କହିଥିଲେ କୋର୍ଟ । ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦା ଓ ଦାତାଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

#Odia#Odisha#News
Share Article:

Related Articles