News Room Odisha
BREAKING
Odia

ନିର୍ବାଚନୀ ବଣ୍ଡର ନମ୍ବର ପ୍ରକାଶ କରିନାହିଁ ଏସବିଆଇ, ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ତଥ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ପୁଣି ନୋଟିସ ଜାରି କରିଛନ୍ତି । ବଣ୍ଡ୍ ଗୁଡ଼ିକର ନମ୍ବର ପ୍ରକାଶ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବଣ୍ଡ୍ ନମ୍ବର ଦ୍ଵାରା କେଉଁ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି ତାହା ଜଣାପଡ଼ିବ । କୋର୍ଟ କହିଛନ୍ତି, ମାର୍ଚ୍ଚ ୧୧ ଆଦେଶରେ ନିର୍ବାଚନୀ ବଣ୍ଡର‌ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ସ୍ପଷ୍ଟ ଭାବରେ କୁହାଯାଇଥିଲା । ହେଲେ [...]

Admin•March 15, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ତଥ୍ୟ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ ପୁଣି ନୋଟିସ ଜାରି କରିଛନ୍ତି । ବଣ୍ଡ୍ ଗୁଡ଼ିକର ନମ୍ବର ପ୍ରକାଶ କରିବାକୁ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବଣ୍ଡ୍ ନମ୍ବର ଦ୍ଵାରା କେଉଁ କମ୍ପାନୀ କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି ତାହା ଜଣାପଡ଼ିବ । କୋର୍ଟ କହିଛନ୍ତି, ମାର୍ଚ୍ଚ ୧୧ ଆଦେଶରେ ନିର୍ବାଚନୀ ବଣ୍ଡର‌ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ସ୍ପଷ୍ଟ ଭାବରେ କୁହାଯାଇଥିଲା । ହେଲେ ଏସବିଆଇ ଦାଖଲ କରିଥିବା ତଥ୍ୟରେ ବଣ୍ଡ୍ ଗୁଡ଼ିକର ନମ୍ବର ଉଲ୍ଲେଖ ହୋଇନାହିଁ।

ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଆବେଦନ ଉପରେ ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି, ଏସବିଆଇ ବଣ୍ଡ୍ ସମ୍ପର୍କିତ ସମ୍ପୂର୍ଣ୍ଣ ସୂଚନା ଦାଖଲ କରିନାହିଁ। ଏସବିଆଇ ଦାଖଲ ତଥ୍ୟରେ ବଣ୍ଡ୍ ଗୁଡ଼ିକର ୟୁନିକ ଆଲଫା ନ୍ୟୁମେରିକ୍ ନମ୍ବର ନାହିଁ । ମାର୍ଚ୍ଚ ୧୮ ସୁଦ୍ଧା ଏନେଇ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଏସବିଆଇକୁ କହିଛନ୍ତି ।

ନିର୍ବାଚନୀ ବଣ୍ଡ୍ ମାମଲାରେ ରାୟର ଏକ ଅଂଶ ସଂଶୋଧନ ପୂର୍ବକ ଯେଉଁ ଦସ୍ତାବିଜ୍ ଦାଖଲ ହୋଇଥିଲା ତାହା ଫେରାଇବାକୁ ନିର୍ବାଚନ କମିଶନ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।

ମାର୍ଚ୍ଚ ୧୬ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଇସିରୁ ମିଳିଥିବା ଦସ୍ତାବିଜ୍ ସ୍କାନ ଏବଂ ଡିଜିଟାଇଜେସନ୍ କରିବାକୁ କୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ମୂଳ କପି ଇସିକୁ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି | ସ୍କାନ ହୋଇଥିବା ଏବଂ ଡିଜିଟାଇଜଡ୍ ଫାଇଲଗୁଡିକର ଏକ କପି କୋର୍ଟରେ ରଖାଯିବ । ଏହାପରେ ମାର୍ଚ୍ଚ ୧୭ ସୁଦ୍ଧା ସବୁ ତଥ୍ୟ ନିର୍ବାଚନ କମିଶନ ୱେବସାଇଟରେ ଅପଲୋଡ୍ ହେବ ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ ।

ନିର୍ବାଚନୀ ବଣ୍ଡ ତଥ୍ୟ ମାମଲାରେ ସୁପ୍ରିମକୋର୍ଟ ମାର୍ଚ୍ଚ ୧୧ରେ ଏସବିଆଇ ଆବେଦନର ଶୁଣାଣି କରିଥିଲେ। ଅଧିକ ସମୟ ପାଇଁ ଏସବିଆଇ ଆବେଦନ ଖାରଜ କରିବା ସହ କୋର୍ଟ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏସବିଆଇ ମାର୍ଚ୍ଚ ୧୨ରେ ଦୁଇଟି ପିଡିଏଫ୍ ଫାଇଲରେ ନିର୍ବାଚନ କମିଶନଙ୍କୁ ବଣ୍ଡ୍ ତଥ୍ୟ ଦେଇଥିଲା । ଏହାକୁ ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ସାର୍ବଜନୀନ କରିଛନ୍ତିି । ଏସବିଆଇ ଦ୍ବାରା ଦାଖଲ ତଥ୍ୟରେ ଦୁଇଟି ଭାଗ ରହିଛି । ଗୋଟିଏରେ ଚାନ୍ଦାଦାତାଙ୍କ ନାଁ, ତାରିଖ ଓ ଚାନ୍ଦା ପରିମାଣ ଉଲ୍ଲେଖ ରହିଥିବା ବେଳେ ଅନ୍ୟଟିରେ ଚାନ୍ଦା ଗ୍ରହଣ କରିଥିବା ରାଜନୈତିକ ଦଳର ନାଁ, ତାରିଖ ଓ ପରିମାଣ ତଥ୍ୟ ଦିଆଯାଇଛି। ହେଲେ ଏହି ବିବରଣୀରୁ କେଉଁ କମ୍ପାନୀ କେତେ ଚାନ୍ଦା କେଉଁ ଦଳକୁ ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡୁ ନାହିଁ ।

#Odia#Odisha#News
Share Article:

Related Articles