ଆଉ ଜଣେ ସମାଲୋଚକଙ୍କୁ ଟାର୍ଗେଟ୍, ବିଶିଷ୍ଟ ସମାଜସେବୀ ହର୍ଷ ମନ୍ଦରଙ୍କ ଘର ଓ ଅଫିସରେ ଇଡିର ଚଢାଉ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ପରେ ଆଉ ଜଣେ ସରକାର ବିରୋଧୀ ବ୍ୟକ୍ତିତ୍ବଙ୍କୁ ଟାର୍ଗେଟ କରାଯାଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ହର୍ଷ ମନ୍ଦରଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି । ସୂତ୍ରରୁ ଜଣାପଡିଛି ଯେ ନୂଆଦିଲ୍ଲୀରେ ତାଙ୍କ ଘର, କାର୍ଯ୍ୟାଳୟ ଏବଂ ତାଙ୍କ ଏନଜିଓରେ ଏହି ଚଢାଉ ଚାଲିଛି। ଦିଲ୍ଲୀ ପୋଲିସ ଦ୍ବାରା ରୁଜୁ ହୋଇଥିବା ଏଫ୍ଆଇଆରର ସଂଜ୍ଞାନ ନେଇ ଇଡି ମନ୍ଦରଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି। ହର୍ଷ ମନ୍ଦର ବର୍ତ୍ତମାନ ଭାରତରେ ନାହାଁନ୍ତି । ସେ ତାଙ୍କ ପତ୍ନୀଙ୍କ ସହ ଗୁରୁବାର ସକାଳେ ଫେଲୋସିପ୍ କାର୍ଯ୍ୟକ୍ରମ ପାଇଁ ଜର୍ମାନୀ ଯାଇଥିବା ଜଣାପଡିଛି।

ଇଡି ମଧ୍ୟ ହର୍ଷ ମନ୍ଦରଙ୍କ ଦ୍ୱାରା ପରିଚାଳିତ ଚିଲଡ୍ରେନ୍ ହୋମ୍ (ଏନଜିଓ) ଉପରେ ଚଢାଉ କରିଛି। ଚଳିତ ବର୍ଷ ଜୁଲାଇରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ହର୍ଷ ମନ୍ଦରଙ୍କ ଦ୍ଵାରା ପରିଚାଳିତ ଦୁଇଟି ଚିଲଡ୍ରେନ୍ ହୋମ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରିଥିଲା ।

ମନ୍ଦର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଆସିଛନ୍ତି । ଦିଲ୍ଲୀରେ ଗତବର୍ଷ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ମଧ୍ୟ ହର୍ଷ ମନ୍ଦରଙ୍କ ନାମ ରହିଛି। ଏହା ପରେ ମନ୍ଦର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କୁ ବିରୋଧ କରୁଥିବା ଲୋକଙ୍କୁ ଉତ୍ସାହିତ କରିଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ତାଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ମଧ୍ୟ ହୋଇଥିଲା।
ହର୍ଷ ମନ୍ଦର ଜଣେ ଆଇଏଏସ୍ ଅଧିକାରୀ । କିନ୍ତୁ ୨୦୦୨ ଗୁଜୁରାଟ ଦଙ୍ଗା ଦ୍ଵାରା ସେ ମର୍ମାହତ ବୋଲି କହି ଚାକିରି ଛାଡିଥିଲେ ଏବଂ ପରେ ସେ ଜଣେ ସାମାଜିକ କର୍ମୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ।

Comments are closed.