ଇଂଲଣ୍ଡକୁ ପ୍ରଥମ ବିଶ୍ୱକପ୍ ଟାଇଟଲ ଦେଇଥିବା ଇୟନ ମୋର୍ଗାନ କ୍ରିକେଟକୁ କହିଲେ ଅଲବିଦା

ନୂଆଦିଲ୍ଲୀ: ଇଂଲଣ୍ଡକୁ ପ୍ରଥମ ଥର ବିଶ୍ୱକପ ଚାମ୍ପିୟନ କରାଇଥିବା ଇୟନ ମୋର୍ଗାନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମୋର୍ଗାନ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ରେ ୧୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିଲେ | ଆୟର୍ଲାଣ୍ଡର ଡବଲିନରେ ଜନ୍ମ ହୋଇଥିବା ୩୫ ବର୍ଷୀୟ ମୋର୍ଗାନ୍ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଦଳର ନେତୃତ୍ୱ ନେବାକୁ ଚାହୁଁଥିଲେ । କିନ୍ତୁ ୧୮ ମାସ ଧରି ବ୍ୟାଟିଂ ଫର୍ମ ଏବଂ ଫିଟନେସ୍ ସମସ୍ୟା ତାଙ୍କ ମତ ପରିବର୍ତ୍ତନ କରିଥିଲେ |

ମୋର୍ଗାନ୍ ୨୦୦୬ ରେ ଆୟର୍ଲାଣ୍ଡ ପକ୍ଷରୁ ଡେବ୍ୟୁ କରିଥିଲେ। କିନ୍ତୁ ତିନି ବର୍ଷ ପରେ ୨୦୦୯ ଠାରୁ ସେ ଇଂଲଣ୍ଡ ପାଇଁ ଖେଳିଥିଲେ | ବାମହାତୀ ବ୍ୟାଟ୍ସମ୍ୟାନ୍ ମୋର୍ଗାନ୍ ୨୪୮ ଟି ଦିନିକିଆରେ ୭,୭୦୧ ରନ୍ ସଂଗ୍ରହ କରିଛନ୍ତି | ଏହାଛଡ଼ା ସେ ୧୧୫ ଟି-ଟ୍ୱେଣ୍ଟିରେ ୨,୪୫୮ ରନ୍ କରିଛନ୍ତି | ସେ ୨୦୦୯ ରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଏହି ଫର୍ମାଟରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିଲେ।

ମୋର୍ଗାନ ଚଳିତ ମାସରେ ନେଦରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ଇଂଲଣ୍ଡର ଅଧିନାୟକତ୍ୱ କରିଥିଲେ ମଧ୍ୟ ଉଭୟ ଥର ଖାତା ଖୋଲିବାରେ ବିଫଳ ହୋଇଥିଲେ। ଆଘାତ ଯୋଗୁଁ ସେ ତୃତୀୟ ମ୍ୟାଚ୍‌ରେ ଖେଳି ନଥିଲେ। ମୋର୍ଗାନଙ୍କ ସ୍ଥାନରେ ଉପଅଧିନାୟକ ଜୋସ୍ ବଟଲରଙ୍କୁ ସୀମିତ ଓଭର ଫର୍ମାଟରେ ଇଂଲଣ୍ଡର ନୂଆ ଅଧିନାୟକ କରାଯାଇପାରେ ।

ମୋର୍ଗାନ୍ ମଧ୍ୟ ୧୬ଟି ଟେଷ୍ଟ ଖେଳିଥିଲେ କିନ୍ତୁ ଏହି ଫର୍ମାଟର ସେ ମାତ୍ର ୭୦୦ ରନ୍ କରିଛନ୍ତି | ସେ ୨୦୨୧ରେ ପାକିସ୍ତାନ ବିପକ୍ଷରେ ନିଜ ଶେଷ ଟେଷ୍ଟ ଖେଳିଥିଲେ। ଇଂଲଣ୍ଡ ପାଇଁ ମୋର୍ଗାନଙ୍କ ସାଢ଼େ ସାତ ବର୍ଷର ଅଧିନାୟକତ୍ୱ କ୍ୟାରିୟର ସ୍ମରଣୀୟ ରହିବ । ତାଙ୍କ ନେତୃତ୍ବରେ ଇଂଲଣ୍ଡ ଉଭୟ ଦିନିକିଆ ଏବଂ ଟି-୨୦ କ୍ରିକେଟରେ ବିଶ୍ୱର ଏକ ନମ୍ବର ଦଳ ହୋଇପାରିଥିଲା ​​| ସେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ୨୦୧୫ ଦିନିକିଆ ବିଶ୍ୱକପ ପୂର୍ବରୁ ସାର୍ ଆଲେଷ୍ଟେୟାର କୁକଙ୍କ ସ୍ଥାନରେ ଇଂଲଣ୍ଡର ଦିନିକିଆ ଆନ୍ତର୍ଜାତୀୟ ଦଳର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ବିଶ୍ୱକପ୍‌ର ଗ୍ରୁପ୍‌ ଷ୍ଟେଜରୁ ଇଂଲଣ୍ଡ ବିଦାୟ ନେଇଥିଲା । ଏହା ପରେ ଇଂଲଣ୍ଡ ସୀମିତ ଦଳରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ମୋର୍ଗାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମୋର୍ଗାନଙ୍କ ନେତୃତ୍ବରେ ୨୦୧୯ ଦିନିକିଆ ବିଶ୍ବକପରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା ।

Comments are closed.