ଅର୍ଦ୍ଦୋଆନ ପୁଣି ତୁର୍କୀ ରାଷ୍ଟ୍ରପତି ନିର୍ବାଚିତ, ଅଭିନନ୍ଦନ ଜଣାଇଲେ ମୋଦୀ

ଇସ୍ତାନବୁଲ: ରିସେପ୍ ତାଇପ ଅର୍ଦ୍ଦୋଆନ ପୁଣି ତୁର୍କୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମାଲ କଲଚଦାରଲୁଙ୍କୁ ହରାଇ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କମାଲ କଲଚଦାରଲୁ ଏହାକୁ ‘ସବୁଠାରୁ ଭୁଲ୍ ନିର୍ବାଚନ’ ବୋଲି କହିଛନ୍ତି କିନ୍ତୁ ଫଳାଫଳ ଉପରେ ସେ ପ୍ରଶ୍ନ ଉଠାଇ ନାହାଁନ୍ତି।

ସରକାରୀ ତଥ୍ୟ ଅନୁଯାୟୀ, ଅର୍ଦ୍ଦୋଆନ ୫୨.୧ ପ୍ରତିଶତ ଭୋଟ୍ ପାଇଥିବାବେଳେ କଲଚଦାରଲୁ ୪୭.୯ ପ୍ରତିଶତ ଭୋଟ୍ ପାଇଥିଲେ ।

ଏହି ନିର୍ବାଚନ ଅର୍ଦ୍ଦୋଆନଙ୍କ ପାଇଁ ବେଶ୍ କଷ୍ଟସାଧ୍ୟ ହେବ ବୋଲି ବିବେଚନା କରାଯାଉଥିଲା । କାରଣ ସେ ଘରୋଇ ସ୍ତରରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ ।

ତୁର୍କୀରେ ଦରଦାମ୍ ରେକର୍ଡ ସ୍ତରରେ ପହଞ୍ଚି ଥିବାବେଳେ ଳ ଚଳିତ ବର୍ଷର ଭୟଙ୍କର ଭୂକମ୍ପ ପରେ ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ଆହୁରି ସ୍ୱାଭାବିକ ହୋଇ ନାହିଁ।

ଏଭଳି ସ୍ଥଳେ ବିରୋଧୀ ଭାବିଥିଲେ ଯେ ନିର୍ବାଚନରେ ଏଥର ଅର୍ଦ୍ଦୋଆନଙ୍କୁ ପରାସ୍ତ କରିବା ସହଜ ହେବ। ତୁର୍କୀର ୬ଟି ଦଳକୁ ନେଇ ବିରୋଧୀ ମେଣ୍ଟ ଅର୍ଦ୍ଦୋଆନଙ୍କ ବିରୋଧରେ କମଲ କଲଚଦାରଲୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା।

ମେ ୧୪ରେ ତୁର୍କୀରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କୌଣସି ପ୍ରାର୍ଥୀ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇ ନ ଥିବାରୁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ହୋଇଥିଲା ।

ପୁଣି ତୁର୍କୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଅର୍ଦ୍ଦୋଆନଙ୍କୁ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱ ନେତାମାନେ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ତୁର୍କୀର ରାଷ୍ଟ୍ରପତି ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ରିସେପ୍ ତାଇପ ଅର୍ଦ୍ଦୋଆନଙ୍କୁ ଅଭିନନ୍ଦନ। ମୁଁ ନିଶ୍ଚିତ ଯେ ଭବିଷ୍ୟତରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଏବଂ ସହଯୋଗ ବୃଦ୍ଧି ପାଇବ।

Comments are closed.