ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଅଯୋଗ୍ୟ ଘୋଷିତ ହୋଇପାରନ୍ତି ମହୁଆ ମଇତ୍ର

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମଇତ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଆସନ୍ତାକାଲି (ନଭେମ୍ବର ୭) ଲୋକସଭାର ଏଥିକ୍ସ (ସଦାଚାର) କମିଟି ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବ। ମଇତ୍ରଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ସମ୍ଭାବନା ରହିଛି । ଏନେଇ କମିଟି ଡ୍ରାଫ୍ଟ ରିପୋର୍ଟ ଉପରେ ମୋହର ଲଗାଇପାରେ ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କ ବିରୋଧରେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଆଣିବା ପରେ ଲୋକସଭା ଏଥିକ୍ସ କମିଟି ଏହାର ତଦନ୍ତ କରୁଛି। ସୂତ୍ରରୁ ପ୍ରକାଶ ଯେ କମିଟି ମହୁଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିପାରେ। ଲୋକସଭାର ଅବଶିଷ୍ଟ ଅଧିବେଶନରୁ ଅଯୋଗ୍ୟ ଘୋଷିତ ହୋଇପାରନ୍ତି ମହୁଆ ।

ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୦୦୫ର ଏକ ଅନୁରୂପ ମାମଲାରେ ନିଆଯାଇଥିବା ନିଷ୍ପତ୍ତିକୁ ଉଦାହରଣ ଭାବେ ଉପସ୍ଥାପନ କରିପାରେ ଏଥିକ୍ସ କମିଟି । ପ୍ରଶ୍ନ କରିବାକୁ ଟଙ୍କା ନେବା ଅଭିଯୋଗରେ ୨୦୦୫ରେ ୧୧ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଉକ୍ତ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ୨୦୦୭ରେ ସୁପ୍ରିମକୋର୍ଟ ଏହି ସାଂସଦମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କାଏମ ରଖିଥିଲେ ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟିଏମସି ସାଂସଦ ମହୁଆ ମଇତ୍ର ହିରାନନ୍ଦାନୀ ଗ୍ରୁପ୍‌ର ସିଇଓ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଥିଲେ । ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହଦ୍ରାଇଙ୍କ ଅଭିଯୋଗ ଆଧାରରେ ସେ ଏହି ଆରୋପ ଲଗାଇଥିଲେ। ନିଶିକାନ୍ତ ଦୁବେଙ୍କ ଅଭିଯୋଗ ପରେ ଲୋକସଭା ବାଚସ୍ପତି ଏହି ମାମଲାକୁ ଏଥିକ୍ସ କମିଟିକୁ ପଠାଇଥିଲେ । ଉଲ୍ଲେଖଯୋଗ୍ୟ ଓକିଲ ଜୟ ଅନନ୍ତ ଦେହଦ୍ରାଇ ହେଉଛନ୍ତି ମଇତ୍ରଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ।

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆ ମଇତ୍ର ନଭେମ୍ବର ୨ରେ ଏଥିକ୍ସ କମିଟିରେ ହାଜର ହୋଇଥିଲେ। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ବିଜେପି ସାଂସଦ ବିଜୟ ସୋନକର। କମିଟିରେ ବିଜେପି ସଦସ୍ୟମାନଙ୍କ ସଂଖ୍ୟାଗରିଷ୍ଠତା ରହିଛି। ଗତ ଶୁଣାଣିରେ ମହୁଆ ଅଭିଯୋଗ କରିଥିଲେ ଯେ କମିଟି ତାଙ୍କୁ ଆପତ୍ତିଜନକ ଓ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲା । ଏନେଇ ସେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଥିଲେ ।

Comments are closed.