ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ମହୁଆ ମଇତ୍ରଙ୍କୁ ବହିଷ୍କାର ପାଇଁ ସୁପାରିଶ କଲା ଏଥିକ୍ସ କମିଟି

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଲୋକସଭା ଏଥିକ୍ସ କମିଟି ଗୁରୁବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମଇତ୍ରଙ୍କୁ ବହିଷ୍କୃତ କରିବା ପାଇଁ ସୁପାରିଶ କରିଛି।

ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏଥିକ୍ସ କମିଟିର ବୈଠକ ବସିଥିଲା । ଏଥିରେ ମହୁଆଙ୍କୁ ବହିଷ୍କାର ନେଇ ଡ୍ରାଫ୍ଟ ରିପୋର୍ଟକୁ ମଞ୍ଜୁର କରାଯାଇଥିଲା। ଏହାର ସପକ୍ଷରେ ୬ ଜଣ ଏବଂ ବିରୋଧରେ ୪ ଜଣ ସଦସ୍ୟ ଭୋଟ୍ ଦେଇଥିଲେ। ଏହି ରିପୋର୍ଟ ସପକ୍ଷରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପରିନୀତ କୌର ବି ଭୋଟ୍ ଦେଇଥିଲେ। ଉଲ୍ଲେଖଥାଉକି ଅମରିନ୍ଦର ସିଂ ଆଉ କଂଗ୍ରେସରେ ନାହାଁନ୍ତି।

ମହୁଆଙ୍କ ବହିଷ୍କାର ପାଇଁ ସୁପାରିଶ କରିଥିବା ଏଥିକ୍ସ କମିଟିର ଡ୍ରାଫ୍ଟ ରିପୋର୍ଟକୁ ବିରୋଧୀ ଦଳର ଚାରି ଜଣ ସଦସ୍ୟ ବିରୋଧ କରିଥିଲେ । ଏହାକୁ ସେମାନେ ପକ୍ଷପାତ ବୋଲି କହିଥିଲେ ।

ଲୋକସଭା ଏଥିକ୍ସ କମିଟିରେ ମୋଟ ୧୫ ଜଣ ସଦସ୍ୟ ଅଛନ୍ତି। ଏଥିରେ ବିଜେପିର ସର୍ବାଧିକ ୭ଜଣ ସଦସ୍ୟ ଥିବାବେଳେ କଂଗ୍ରେସର ତିନିଜଣ ସଦସ୍ୟ ଅଛନ୍ତି। ବିଏସପି, ଶିବସେନା, ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ଏବଂ ଜନତା ଦଳ (ୟୁନାଇଟେଡ୍)ର ଜଣେ ଲେଖାଏଁ ସଦସ୍ୟ ଏହି କମିଟିରେ ଅଛନ୍ତି।

ମହୁଆଙ୍କ ବିରୋଧରେ ଅଭିଯୋଗ ନେଇ ଏଥିକ୍ସ କମିଟି ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିନୋଦ ସୋନକର କହିଛନ୍ତି, “କମିଟି ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଆଜି ବୈଠକରେ ଏହି ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ରିପୋର୍ଟ ଗୃହୀତ ହୋଇଛି । ଏହି ମାମଲାରେ ଆସନ୍ତାକାଲି ଏକ ବିସ୍ତୃତ ରିପୋର୍ଟ ଆମେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଦେବୁ।

ସଂସଦରେ ପ୍ରଶ୍ନ କରିବା ପାଇଁ ମହୁଆ ମଇତ୍ର‌ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ଓ ଦାମୀ ଉପହାର ନେଇଥିଲେ ବୋଲି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟକୁ ଚିଠି ଲେଖି ଅଭିଯୋଗ କରିଥିଲେ । ଦୁବେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ଭାବମୂର୍ତ୍ତି ମଳିନ କରିବା ପାଇଁ ମଇତ୍ର ଲୋକସଭାରେ ଜାଣିଶୁଣି ଏପରି କିଛି ପ୍ରଶ୍ନ ପଚାରିଥିଲେ ଯାହା ବିବାଦ ସୃଷ୍ଟି କରିଥିଲା। ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କୁ ମଇତ୍ର ତାଙ୍କ ଲୋକସଭା ଲଗଇନ୍ ଆଇଡି ମଧ୍ୟ ଦେଇଥିଲେ ଓ ତାଙ୍କ ପାଇଁ ହିରାନନ୍ଦାନୀ ପ୍ରଶ୍ନ ପ୍ରସ୍ତୁତ କରୁଥିଲେ ।

Comments are closed.