ସର୍ବଦଳୀୟ ବୈଠକରେ କହିଲେ ସରକାର, ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କୁ ଆଣିବା ସର୍ବୋଚ୍ଚ ପ୍ରାଥମିକତା

ନୂଆଦିଲ୍ଲୀ: ଆଫଗାନିସ୍ତାନର ସଙ୍କଟ ଉପରେ ଆଜି କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନ ସ୍ଥିତି ସମ୍ପର୍କରେ ସମସ୍ତ ଦଳର ନେତାଙ୍କୁ ଅବଗତ କରାଇଛନ୍ତି। ବୈଠକରେ ବିରୋଧୀ ଦଳମାନଙ୍କୁ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କରେ ସୂଚନା ଦିଆଯାଇଥିଲା। ସୂଚନାନୁସାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୈଠକରେ କହିଛନ୍ତି ଯେ ଆଫଗାନିସ୍ତାନର ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ନାଗରିକମାନଙ୍କୁ ଫେରାଇ ଆଣିବ ପାଇଁ ଭାରତ ଯଥା ସମ୍ଭବ ଉଦ୍ୟମ କରୁଛି। ଏହି ସଙ୍କଟ ସମୟରେ ଭାରତ ଆଫଗାନିସ୍ତାନର ଲୋକଙ୍କ ସହ ଛିଡା ହୋଇଛି।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ସହାୟତା ପାଇଁ ପ୍ରାୟ ୧୫,୦୦୦ ଲୋକ ସରକାରଙ୍କ ଦ୍ଵାରା ସ୍ଥାପିତ ହେଲ୍ପ ଡେସ୍କ ସହ ଯୋଗାଯୋଗ କରିଛନ୍ତି। ଏହା ସହ ଆଫଗାନିସ୍ତାନରେ ଆମେରିକା, ରୁଷ୍ ଏବଂ ଚୀନ୍ ନେଇଥିବା ପଦକ୍ଷେପ ସମ୍ପର୍କରେ ବିରୋଧୀ ଦଳମାନଙ୍କୁ ଅବଗତ କରାଯାଇଥିଲା।

ସରକାରଙ୍କ ତରଫରୁ ୬ ଜଣ ମନ୍ତ୍ରୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନେ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ୍ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘୱାଲ।

ଏନସିପି ନେତା ଶରଦ ପାୱାର, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ, ଲୋକସଭାରେ କଂଗ୍ରେସ ଦଳର ନେତା ଧିର ରଂଜନ ଚୌଧୁରୀ, ଡିଏମକେର ଟିଆର ବାଲୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡ଼ା, ଅପନା ଦଳର ଅନୁପ୍ରିଆ ପଟେଲ ପ୍ରମୁଖ ଏହି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।

Comments are closed.