ଫିଫା ପୁରସ୍କାର: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ଲେୱାଣ୍ଡୋସ୍କି ଜିତିଲେ ଶ୍ରେଷ୍ଠ ଖେଳାଳି ପୁରସ୍କାର | News Room Odisha

ଫିଫା ପୁରସ୍କାର: ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ଲେୱାଣ୍ଡୋସ୍କି ଜିତିଲେ ଶ୍ରେଷ୍ଠ ଖେଳାଳି ପୁରସ୍କାର

ଜୁରିକ – ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନଲ୍ଡୋଙ୍କୁ ପଛରେ ପକାଇ ପୋଲାଣ୍ଡ ତଥା ବାୟର୍ନ ମ୍ୟୁନିକର ରବର୍ଟ ଲେୱାଣ୍ଡୋସ୍କି ବିଶ୍ୱର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ଚଳିତ ବର୍ଷ ସମ୍ମାନଜନକ ଫିଫା ପୁରସ୍କାର ଜିତିଛନ୍ତି । ପୁରୁଷ ବର୍ଗରେ ଏହି ତିନି ଖେଳାଳି ସର୍ଟଲିଷ୍ଟରେ ସ୍ଥାନ ପାଇଥିଲେ । ତେବେ ଲେୱାଣ୍ଡୋସ୍କିି ଏଥର ଏହି ସମ୍ମାନ ଜିତିଛନ୍ତି । ଗତ ସିଜନରେ ଜର୍ମାନ କ୍ଲବ୍ ବାୟନୟ ମ୍ୟୁନିକ ତରଫରୁ ପ୍ରତିନିଧିତ୍ୱ କରି ଲେୱାଣ୍ଡୋସ୍କି ୫୫ ଗୋଲ୍ ସ୍କୋର କରିଥିଲେ । ବିଭିନ୍ନ ଜାତୀୟ ଦଳର ଅଧିନାୟକ, କୋଚ୍ ଏବଂ ପ୍ରତିଷ୍ଠିତ ଫୁଟବଲ ସାମ୍ବାଦିକ ଏବଂ ପ୍ରଶଂସକଙ୍କ ଭୋଟ୍ ଭିତ୍ତିରେ ଫିଫା ପୁରସ୍କାର ପାଇଁ ବିଜେତା ଘୋଷଣା ହୋଇଥାଏ । କରୋନା ସଂକ୍ରମଣ ଯୋଗୁଁ ଏଥର ଫିଫା ପୁରସ୍କାର ଉତ୍ସବ ଭର୍ଚୁଆଲ ହୋଇଥିଲା । ତେବେ ବିଜେତାଙ୍କୁ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରିବାକୁ ଫିଫା ସଭାପତି ଜିଆନି ଇନଫାଣ୍ଟିନୋ ମ୍ୟୁନିକ ଯାଇଥିଲେ ।

ଗତ ୧୩ ବର୍ଷରେ କ୍ରୋଏସିଆର ଲୋକା ମୋଡ୍ରିକଙ୍କ ପରେ ଲେୱାଣ୍ଡୋସ୍କି ହେଉଛନ୍ତି ଦ୍ୱିତୀୟ ଖେଳାଳି ଯିଏକି ମେସି ଓ ରୋନାଲ୍ଡୋଙ୍କୁ ହରାଇ ଫିଫା ପୁରସ୍କାର ଜିତିଛନ୍ତି । ଏହି ୧୩ ବର୍ଷରେ ମେସି ୬ ଥର ଓ ରୋନାଲ୍ଡୋ ୫ ଥର ଏହି ପୁରସ୍କାର ଜିତିଛନ୍ତି । ଅନ୍ୟପକ୍ଷେ ମହିଳା ବର୍ଗରେ ଇଂଲଣ୍ଡର ଲୁସି ବ୍ରୋଞ୍ଜ ଏଥର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

FIFA award