ଆଜିଠାରୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ, ରୋହିତ ଖେଳିବେନି, ବୁମରା ନେବେ ଟିମ୍ ଇଣ୍ଡିଆର ନେତୃତ୍ବ

ବର୍ମିଂହାମ : ସ୍ଥଗିତ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ଏହି ଅସମ୍ପୂର୍ଣ୍ଣ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଥିବା ବେଳେ ଏହି ଟେଷ୍ଟ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ତେବେ ଭାରତ ପାଇଁ ଏହି ଲକ୍ଷ୍ୟ ସହଜ ହେବ ନାହିଁ । ନିୟମିତ ଅଧିନାୟକ ରୋହିତ ଶର୍ମା କୋଭିଡ୍ ସଂକ୍ରମଣରୁ ସୁସ୍ଥ ହୋଇନଥିବାରୁ ଏହି ଟେଷ୍ଟରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ସ୍ଥାନରେ ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଭାରତୀୟ ଦଳର ନେତୃତ୍ୱ ନେବେ । ବେନ୍ ଷ୍ଟୋକ୍ସ ଅଧିନାୟକ ଦାୟିତ୍ୱ ଗ୍ରହଣ କରିବା ପରେ ଇଂଲଣ୍ଡ ଏକ ନିର୍ଭୀକ ଟିମ୍ ଭାବେ ଉଭା ହୋଇଛି । ନିକଟରେ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ୍ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା । ତେଣୁ ଦଳ ଦୃଢ ମନୋବଳ ସହ ଭାରତ ସହ ଲଢି ସିରିଜ୍ ସମାନ ସ୍ତରକୁ ଆଣିବା ପାଇଁ ଅଣ୍ଟା ଭିଡ଼ିଛି । ତେଣୁ ବୁମରାଙ୍କ ପାଇଁ ଆହ୍ୱାନ ବଡ଼ କଠିନ ହେବ ।

କୋହଲିଙ୍କ ନେତୃତ୍ୱରେ ଗତବର୍ଷ ଇଂଲଣ୍ଡ ଗସ୍ତରେ ଭାରତ ପାଞ୍ଚ ମ୍ୟାଚ୍ ସିରିଜରେ ଚମତ୍କାର ପ୍ରର୍ଦଶନ ସହ ୨-୧ରେ ଅଗ୍ରଣୀ ହାସଲ କରିଥିଲା । ପଞ୍ଚମ ଟେଷ୍ଟ ଠିକ୍ ପୂର୍ବରୁ ଭାରତୀୟ ଦଳରେ ଏକାଧିକ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା । ଏଥିପାଇଁ ପଞ୍ଚମ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା । ଇତି ମଧ୍ୟରେ ୯ ମାସ ବିତିଯାଇଛି ଏବଂ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଅନେକ ପରିବର୍ତ୍ତନ ଦେଇ ଗତି କରିଛନ୍ତି । କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଉତ୍ତରାଧିକାରୀ ରୋହିତ ଶର୍ମା କରୋନା ପଜିଟିଭ୍ ହେବା କାରଣରୁ ପଞ୍ଚମ ଟେଷ୍ଟରୁ ବଞ୍ଚିତ ହୋଇଛନ୍ତି । ଭାରତ ପାଇଁ ଆଉ ଶକ୍ତ ଧକ୍କା ହେଉଛି ଆଘାତ କାରଣରୁ ଉପଅଧିନାୟକ କେଏଲ୍ ରାହୁଲ ମଧ୍ୟ ଏହି ଟେଷ୍ଟ ପାଇଁ ଉପଲବ୍ଧ ନୁହଁନ୍ତି । ସେ ହାର୍ଣ୍ଣିଆ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି ।

ଏଭଳି ସ୍ଥିତିରେ ଭାରତୀୟ ଦଳର ନେତୃତ୍ୱ ବୁମରାଙ୍କୁ ଦିଆଯାଇଛି । ସମ୍ପ୍ରତି ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଗଣା ଯାଉଥିବା ବୁମରାର ୩୬ତମ କ୍ରିକେଟର ଭାବେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ।
ବୁମରା ଗତ କିଛି ବର୍ଷ ଧରି ଭାରତୀୟ ପେସ୍ ବାହିନୀର ମଙ୍ଗୁଆଳି ରହି ଆସିଛନ୍ତି । କିନ୍ତୁ ଷ୍ଟୋକ୍ସଙ୍କ ନେତୃତ୍ୱାଧୀନ ଉଜ୍ଜୀବିତ ଇଂଲଣ୍ଡ ଦଳକୁ ସାମ୍ନା କରିବା ପାଇଁ ବୁମରା ଯେତେବେଳେ ପଡ଼ିଆକୁ ଓହ୍ଲାଇବେ, ସେ ଏକ କଡ଼ା ପରୀକ୍ଷାର ସମ୍ମୁଖୀନ ହେବେ ।

ବୁମରା ୩୫ ବର୍ଷ ପରେ ପ୍ରଥମ ଦ୍ରୁତ ବୋଲର ଭାବେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛନ୍ତି । କିମ୍ବଦନ୍ତୀ କପିଳ ଦେବ ଶେଷ ଦ୍ରୁତ ବୋଲର ଭାବେ ଭାରତର କ୍ୟାପଟେନ ହୋଇଥିଲେ । ଭାରତୀୟ କ୍ରିକେଟ୍ କ୍ଷେତ୍ରରେ ସାଧାରଣତଃ ପେସ୍ ବୋଲରଙ୍କୁ ଅଧିନାୟକ ଭାବେ ଅଗ୍ରାଧିକାର ଦିଆଯାଏ ନାହିଁ । ଜଭଗଲ ଶ୍ରୀନାଥ ଓ ଜାହିର ଖାନ୍ ଭଳି ପେସ୍ ବୋଲରଙ୍କୁ ଉପଅଧିନାୟକ ମଧ୍ୟ କରାଯାଇ ନଥିଲା । ଏବେ ୩୫ ବର୍ଷ ପରେ ଜଣେ ପେସ୍ ବୋଲର ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଛନ୍ତି । ତେବେ ଅଧିନାୟକ ଏକ ଏପରି କଳା ଯାହା ଜନ୍ମଗତ ହୋଇପାରେ ଏବଂ ଜଣେ ଖେଳାଳିର ଷଷ୍ଠ ଇନ୍ଦ୍ରେୟ ଅନୁମୋଦିତ ନିଷ୍ପତ୍ତି ଉପରେ ମଧ୍ୟ ନିର୍ଭର କରିଥାଏ । ଏହି ଦାୟିତ୍ୱ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ । ଭାରତର ଅନ୍ୟତମ ଭବିଷ୍ୟତ ଅଧିନାୟକ ଭାବେ ବିବେଚିତ ହେଉଥିବା ବୁମରା ଏହି ନୂଆ ଭୂମିକାକୁ କିପରି ତୁଲାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଇଂଲଣ୍ଡ ଦଳର ବି ଅଧିନାୟକ ବଦଳିଛନ୍ତି । ରୁଟଙ୍କ ଇସ୍ତଫା ପରେ ଟେଷ୍ଟ ଦଳର ନେତୃତ୍ୱ ନେଇଥିବା ଷ୍ଟୋକ୍ସ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ଲିନ ସୁଇପ୍ ବିଜୟରୁ ନିଜ କ୍ୟାପଟେନ୍ସି ଯାତ୍ରା ଆରମ୍ଭ କରିଛନ୍ତି । ନୂଆ କୋଚ ବ୍ରେଣ୍ଡନ ମ୍ୟାକକୁଲମ ଓ ନୂଆ ଅଧିନାୟକ ଷ୍ଟୋକ୍ସଙ୍କ ତତ୍ତ୍ୱାବଧାନରେ ଇଂଲଣ୍ଡ ଟେଷ୍ଟ ଫର୍ମାଟରେ ନିଜ ରଣନୀତିରେ ବି ଆମୂଳଚୂଳ ପରିବର୍ତ୍ତନ କରିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦମଦାର ସିରିଜ ବିଜୟରୁ ସ୍ପଷ୍ଟ ହୋଇଛି । ଭାରତ ବିପକ୍ଷରେ ମଧ୍ୟ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରାଯିବ ବୋଲି ମ୍ୟାକକୁଲମ ଓ ଷ୍ଟୋକ୍ସ ସ୍ପଷ୍ଟ କରିସାରିଛନ୍ତି ।

ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଶୁଭମାନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ ଆୟର, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, ପ୍ରସିଦ୍ଧ କ୍ରିଷ୍ଣା, କେଏସ୍ ଭରତ, ମୟଙ୍କ ଅଗ୍ରୱାଲ, ଉମେଶ ଯାଦବ ।

ଇଂଲଣ୍ଡ: ଆଲେକ୍ସ ଲିସ୍‌, ଜାକ୍ କ୍ରଲି, ଓଲି ପୋପ୍‌, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ (ଅଧିନାୟକ), ସାମ୍ ବିଲିଙ୍ଗ୍‌ସ, ମାଥ୍ୟୁ ପଟ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜ୍ୟାକ୍ ଲିଚ୍‌, ଜେମ୍ସ ଆଣ୍ଡରସନ୍ ।

Comments are closed.