ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ବାତିଲ

ଲଣ୍ଡନ: ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆଜିଠାରୁ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ୍ ବାତିଲ କରାଯାଇଛି। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ମ୍ୟାଚ୍ ବାତିଲ ସମ୍ପର୍କରେ ସୂଚନା ଦେଇଛି। ଇସିବି କହିଛି ଯେ କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଖେଳାଳିମାନେ ମଞ୍ଚେଷ୍ଟର ଟେଷ୍ଟରେ ଖେଳିବାକୁ ମନା କରି ଦେଇଛନ୍ତି। ତେବେ ସିରିଜର ସ୍କୋର ଲାଇନ‌ ନେଇ ସସପେନ୍ସ ଜାରି ରହିଛି |

ଇସିବି କହିଛି, ବିସିସିଆଇ ସହ ବିଚାର ବିମର୍ଶ ପରେ ମଞ୍ଚେଷ୍ଟରରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ବାତିଲ କରାଯାଇଛି। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଭାରତୀୟ ଖେଳାଳିମାନେ ଭୟଭୀତ ହୋଇପଡିଥିଲେ ଏବଂ ଏହି ମ୍ୟାଚ ପାଇଁ ନିଜର ଶ୍ରେଷ୍ଠ ୧୧ ଖେଳାଳି ଚୟନ କରିବାରେ ଅସମର୍ଥତା ପ୍ରକାଶ କରିଥିଲ । ତେଣୁ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମ୍ୟାଚ୍ ବାତିଲ ହୋଇଥିବାରୁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି। ବୋର୍ଡ କହିଛି, ଆମେ ଆମର କ୍ରିକେଟ୍ ପ୍ରଶଂସକ, ଗଣମାଧ୍ୟମ ଏବଂ ସବୁ ଭାଗୀଦାରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଏହି ବିଷୟରେ ଅଧିକ ସୂଚନା ଶୀଘ୍ର ପ୍ରଦାନ କରାଯିବ |

ଗୁରୁବାର ଦିନ ଟିମ୍ ଇଣ୍ଡିଆର ଆସିଷ୍ଟାଣ୍ଟ ଫିଜିଓଙ୍କ କରୋନା ରିପୋର୍ଟ ପଜିଟିଭ୍ ବୋଲି ଜଣାପଡିଥିଲା। ସେବେଠାରୁ ମଞ୍ଚେଷ୍ଟର ଟେଷ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଦଳର ସବୁ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ହେବା ପରେ ମ୍ୟାଚର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ଆଉ ଏକ କରୋନା ଟେଷ୍ଟ ଦାବି କରିଥିଲେ।

ଓଭାଲ ଟେଷ୍ଟ ଜିତି ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଥିଲା। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡର ବିବୃତ୍ତି ସତ୍ତ୍ୱେ ସିରିଜର ସ୍କୋର ଲାଇନ୍ ଉପରେ ସସପେନ୍ସ ରହିଛି। ଭାରତକୁ ବିଜେତା ଘୋଷଣା କରାଯିବ ନା ନାହିଁ ଜଣାପଡ଼ ନାହିଁ । ଇସିବି ଏହାର ବିବୃତ୍ତିରେ ମ୍ୟାଚ୍ ବାତିଲ୍ ଶବ୍ଦ ବ୍ୟବହାର କରିଛି | ଏବେ ସିରିଜର ଭବିଷ୍ୟତ କ’ଣ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

Comments are closed.