ଭାରତୀୟ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍‌, ଆଜି ଖେଳାଯିବ ପଞ୍ଚମ ଟେଷ୍ଟ | News Room Odisha

ଭାରତୀୟ ଖେଳାଳିଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍‌, ଆଜି ଖେଳାଯିବ ପଞ୍ଚମ ଟେଷ୍ଟ

ମାଞ୍ଚେଷ୍ଟର: ପଞ୍ଚମ ଟେଷ୍ଟକୁ ନେଇ ଅନିଶ୍ଚିତତା ଦୂର ହୋଇଛି । ସବୁ ଭାରତୀୟ ଖେଳାଳିଙ୍କ ଆର୍‌ଟି-ପିସିଆର ଟେଷ୍ଟ ନେଗେଟିଭ୍ ହେବା ପରେ ପଞ୍ଚମ ଟେଷ୍ଟ ପାଇଁ ବାଟ ଫିଟିଛି । ଆଜିଠୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ଟେଷ୍ଟ ଖେଳାଯିବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଅଗ୍ରଣୀ ରହିଥିବା ବେଳେ ଭାରତ ୧୪ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବାକୁ ସୁଯୋଗ ରହିଛି ।

ଗତକାଲି ଭାରତୀୟ ଦଳର ସହାୟକ ଫିଜିଓ ଆଦର୍ଶ ପରାମର କୋଭିଡ୍ ପଜିଟିଭ୍ ହେବା ପରେ ପଞ୍ଚମ ଟେଷ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଭାରତୀୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ସବୁ ଦ୍ୱନ୍ଦ୍ୱ ଦୂର ହୋଇଛି । ପଞ୍ଚମ ଟେଷ୍ଟ ପାଇଁ ଉଭୟ ଦଳ ପ୍ରସ୍ତୁତ ହୋଇଛନ୍ତି । ଭାରତ ପାଇଁ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ତାଙ୍କୁ ପଞ୍ଚମ ଟେଷ୍ଟରୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ହନୁମା ବିହାରୀ କିମ୍ବା ସୂର୍ଯ୍ୟକୁମାର ଯାଦବ ଖେଳିପାରନ୍ତି । ସେହିପରି ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଫିଟ୍ ଘୋଷିତ ହୋଇଥିବା ବେଳେ ସେ ଚୂଡାନ୍ତ ଏକାଦଶକୁ ଫେରିବା ସମ୍ଭାବନା ରହିଛି । ଓଭାଲରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟକୁ ୧୫୭ ରନରେ ଜିତି ଭାରତ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଥିଲା ।

ଭାରତର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ୍ ଭରଣ ଅରୁଣ ଏବଂ ଫିଲ୍ଡି କୋଚ୍ ଆର.ଶ୍ରୀଧର କରୋନା ପଜିଟିଭ୍ ହୋଇ ଆଇସୋଲେସନରେ ଅଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ମୁଖ୍ୟ ଫିଜିଓ ନୀତିନ୍ ପଟେଲ ମଧ୍ୟ ସଙ୍ଗରୋଧରେ ରହିଛନ୍ତି ଏବଂ ଏବେ ସହାୟକ ଫିଜିଓ ମଧ୍ୟ କରୋନା ପଜିଟିଭ୍ । ଏବେ ଭାରତୀୟ ଦଳ ପାଖରେ କେବଳ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ହିଁ ଅଛନ୍ତି । ଫିଜିଓ ପାଇଁ ଭାରତୀୟ ଦଳ କୁଆଡେ ଇଂଲଣ୍ଡ ଠାରୁ ସହଯୋଗ ମାଗିଛି ।