ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ | News Room Odisha

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଏମ୍ ଫାତିମା ବିବିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ଜଷ୍ଟିସ୍ ଫାତିମା ବିବି ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଥିଲେ। ସେ ମଧ୍ୟ ପ୍ରଥମ ମୁସଲମାନ ମହିଳା ଯିଏକି ଦେଶର ଉଚ୍ଚତମ ନ୍ୟାୟାଳୟରେ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ।

ଫାତିମା ବିବି ୧୯୨୭ ମସିହାରେ କେରଳରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ତାଙ୍କୁ ଆଇନ ଅଧ୍ୟୟନ କରିବାକୁ ଉତ୍ସାହିତ କରିଥିଲେ। ୧୯୫୦ ମସିହାରେ ବିବି ବାର୍ କାଉନସିଲ୍ ପରୀକ୍ଷାରେ ଶୀର୍ଷରେ ରହି ବାର୍ କାଉନସିଲ୍ ସ୍ୱର୍ଣ୍ଣ ପଦକ ପାଇବାରେ ଦେଶର ପ୍ରଥମ ମହିଳା ହୋଇଥିଲେ ।

ସେ କେରଳରେ ଓକିଲ ଭାବେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୭୪ ମସିହାରେ ଜିଲ୍ଲା ଜଜ୍ ଭାବେ ନିଯୁକ୍ତ ହୋଇଥିଲେ। ୧୯୮୦ରେ ସେ ଆୟକର ଟ୍ରିବ୍ୟୁନାଲରେ ଯୋଗ ଦେଇଥିଲେ ଏବଂ ୧୯୮୩ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଫାତିମା ବିବି ୧୯୮୯ରେ ସୁପ୍ରିମକୋର୍ଟରେ ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ପାଇ ଇତିହାସ ରଚିଥିଲେ । ସେ ତାମିଲନାଡୁର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ସମ୍ଭାଳିଥିଲେ।