ଜାମ୍ମୁ କାଶ୍ମୀର: ରଜୌରୀ ସେକ୍ଟରରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ୫ ଯବାନ ସହିଦ୍

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୫ ସୈନିକ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ ପିର ପଞ୍ଜଲ ରେଞ୍ଜରେ ଆତଙ୍କବାଦୀ‌ ନିରୋଧୀ ଅପରେସନ ଚାଲିଥିଲା। ଏହି ସମୟରେ ଆତଙ୍କବାଦୀମାନେ ସେନା ଦଳ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏଥିରେ ଜଣେ ଜୁନିଅର କମିଶନ ଅଫିସର (ଜେସିଓ) ଏବଂ ୪ ଜଣ ଯବାନ ସହିଦ ହୋଇଥିଲେ। ଏହି ଅଞ୍ଚଳରେ ଅପରେସନ୍ ଜାରି ରହିଛି ଏବଂ ଏକ ବ୍ୟାକଅପ୍ ପାର୍ଟିକୁ ଘଟଣାସ୍ଥଳକୁ ପଠାଯାଇଛି।

ସେନା ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ସୋମବାର ସକାଳେ ସୁରକ୍ଷା ବାହିନୀ ଅପରେସନ ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ବହୁ ସଶସ୍ତ୍ର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଯେତେବେଳେ ସେନାର ତଲାସି ଅପରେସନ୍ ଚାଲିଥିଲା ​​ସେତେବେଳେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ଆଘାତ ଯୋଗୁଁ ଜେସିଓଙ୍କ ସମେତ ୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କ ମୃତ୍ୟୁ ହୋଇଥିଲା |

ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରର ପୁଞ୍ଚରେ ସୋମବାର ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଛି। ପ୍ରତିରକ୍ଷା ସୂଚନା ଅଧିକାରୀ କହିଛନ୍ତି ଯେ, ‘ଗୁଇନ୍ଦା ଇନପୁଟ ପାଇବା ପରେ ସୁରକ୍ଷା ବାହିନୀ ପୁଞ୍ଚର ସୋରେନକୋଟ ଅଞ୍ଚଳର ଡେରା କି ଗଲି ନିକଟରେ ଥିବା ଗ୍ରାମରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହା ପୂର୍ବରୁ ଅନନ୍ତନାଗ ଓ ବାନ୍ଦିପୋରା ଅଞ୍ଚଳରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ।

Comments are closed.