ବିସିସିଆଇର ପୂର୍ବତନ ସଚିବ ଅମିତାଭ ଚୌଧୁରୀଙ୍କର ହୃଦଘାତରେ ପରଲୋକ | News Room Odisha

ବିସିସିଆଇର ପୂର୍ବତନ ସଚିବ ଅମିତାଭ ଚୌଧୁରୀଙ୍କର ହୃଦଘାତରେ ପରଲୋକ

ରାଞ୍ଚି: ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ(ଜେଏସସିଏ)ର ପୂର୍ବତନ ସଭାପତି ଅମିତାଭ ଚୌଧୁରୀଙ୍କର ମଙ୍ଗଳବାର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ସେ ବିସିସିଆଇର କାର୍ଯ୍ୟକାରୀ ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି। ସୋରେନ ଟ୍ୱିଟ୍ କରି ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଜଣେ ଦକ୍ଷ କ୍ରୀଡ଼ା ପ୍ରଶାସକ ଭାବେ ପରିଚିତ ଅମିତାଭ ଚୌଧୁରୀ ବିସିସିଆଇର ପୂର୍ବତନ କାର୍ଯ୍ୟନିର୍ବାହୀ ସଚିବ ଥିଲେ। ତାଙ୍କୁ ୨୦୨୦ ମସିହାରେ ଝାଡ଼ଖଣ୍ଡ ଲୋକସେବା ଆୟୋଗ (ଜେପିଏସସି) ର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା। ନିକଟରେ ସେ ଅବସର ନେଇଥିଲେ। ଗତକାଲି ସ୍ୱାଧୀନତା ଦିବସ ଅବସରରେ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏସନ୍ (ଜେଏସସିଏ) ଷ୍ଟାଡିୟମରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଝାଡ଼ଖଣ୍ଡର ଜଣେ ଆଇପିଏସ୍ ଅଧିକାରୀ ଅମିତାଭ ଚୌଧୁରୀଙ୍କ ଝାଡ଼ଖଣ୍ଡ କ୍ରିକେଟ୍ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ତାଙ୍କ ଉଦ୍ୟମରେ ହିଁ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଏକ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ ହୋଇଥିଲା ।