କର୍ଣ୍ଣାଟକରେ ବିଜେପିକୁ ଝଟକା, ଖଡ଼ଗେଙ୍କୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତା ଧରିଲେ କଂଗ୍ରେସର ହାତ

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ବିଜେପିକୁ ଏକ ଲାଗିଛି ଝଟକା । ବିଜେପିର ପୂର୍ବତନ ବିଧାନ ପରିଷଦ ସଦସ୍ୟ ବାବୁରାଓ ଚିଞ୍ଚାନସୁର ବୁଧବାର (ମାର୍ଚ୍ଚ ୨୨) ବେଙ୍ଗାଲୁରୁରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ବାବୁରାଓ ଚିଞ୍ଚାନସୁର ସୋମବାର ବିଜେପିରୁ ଇସ୍ତଫା ଦେଇଥିଲେ ।

ବାବୁରାଓ ଚିଞ୍ଚାନସୁର ବିଜେପି ଟିକେଟ୍ ପାଇଁ ଆଶାୟୀ ଥିଲେ । କିନ୍ତୁ ସେ ଏମଏଲସି ଥିବାରୁ ତାଙ୍କୁ ବିଧାୟକ ଟିକେଟରୁ ବଞ୍ଚିତ କରାଯାଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ​​ବାବୁରାଓ ଚିଞ୍ଚାନସୁର କଂଗ୍ରେସର ଜାତୀୟ ସଭାପତି ଏମ୍ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଚିଞ୍ଚାନସୁର କଲ୍ୟାଣ କର୍ଣ୍ଣାଟକ ଅଞ୍ଚଳର କୋଲି-କବାଲିଗା ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା।

ବାବୁରାଓ ଚିଞ୍ଚାନସୁର ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ କାଲାବୁରଗି ଜିଲ୍ଲାର ଗୁରୁମିତକଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ଏହାପୂର୍ବରୁ ସେ ସିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ। ତେବେ ବିଧାନସଭା ନିର୍ବାଚନରେ ହାରିବା ପରେ ସେ ୨୦୧୮ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଜଣେ ବିଜେପି ନେତା ଭାବେ ସେ ଗୁଲବର୍ଗ (କାଲାବୁରଗି) ଲୋକସଭା ନିର୍ବାଚନମଣ୍ଡଳୀରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କଂଗ୍ରେସ ଛାଡ଼ି ବିଜେପି ଯୋଗ ଦେଇଥିବା ଉମେଶ ଯାଦବ ୨୦୧୯ ଲୋକସଭା ନିର୍ବାଚନରେ ​​ଖଡ଼ଗେଙ୍କୁ ପରାସ୍ତ କରିଥିଲେ ।

Comments are closed.