ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ

ମୁମ୍ବାଇ: ମନି ଲଣ୍ଡ୍ରିଂ ଓ ବଟି ଆଦାୟ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଗିରଫ କରିଛି । ଦେଶମୁଖଙ୍କୁ ପ୍ରାୟ ୧୨ ଘଣ୍ଟାର ଜେରା ପରେ ସୋମବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରୀ ସମ୍ପର୍କରେ ଇଡି ଅଧିକାରୀ ସୂଚନା ଦେଇଛନ୍ତି। ଅନିଲ ଦେଶମୁଖଙ୍କୁ ପଚରାଉଚରା କରିବା ପାଇଁ ଇଡିର ଯୁଗ୍ମ ନିର୍ଦ୍ଦେଶକ ସତ୍ୟବ୍ରତ କୁମାର ନିଜେ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିଥିଲେ।

ଏହାପୂର୍ବରୁ ତାଙ୍କୁ ଇଡି ପଚରାଉଚରା ପାଇଁ ଡ଼କାଇଥିଲେ। ଇଡିରୁ ମିଳିଥିବା ସୂଚନା ଅନୁଯାୟୀ ଅନିଲ ଦେଶମୁଖ ପଚରାଉଚୁରାରେ ସହଯୋଗ କରୁନଥିଲେ। ଆଜି ଅନୀଲ ଦେଶମୁଖଙ୍କୁ କୋର୍ଟରେ ହାଜର କରାଯିବ। ଅନିଲ ଦେଶମୁଖଙ୍କ ଓକିଲ ଇନ୍ଦରପାଲ ସିଂ କହିଛନ୍ତି- ୪.୫ କୋଟି ଟଙ୍କା ସହ ଜଡିତ ଏହି ମାମଲାର ତଦନ୍ତରେ ଆମେ ସହଯୋଗ କରୁଛୁ। ଆଜି ଯେତେବେଳେ ତାଙ୍କୁ କୋର୍ଟରେ ହାଜର କରାଯାଏ, ଆମେ ତାଙ୍କ ରିମାଣ୍ଡରେ ବିରୋଧ କରିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ବେଳେ ୭୧ ବର୍ଷୀୟ ଏନସିପି ନେତା ଅନିଲ ଦେଶମୁଖ କିଛି ପୋଲିସ ଅଧିକାରୀଙ୍କ ମାଧ୍ୟମରେ ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ମାସିକ ୧୦୦ ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ସଙ୍ଗୀନ ଅଭିଯୋଗ ପରେ ଏପ୍ରିଲରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ ।

Comments are closed.