ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ପୂର୍ବତନ ଆଇନ ମନ୍ତ୍ରୀ ତଥା ପ୍ରଖ୍ୟାତ ଓକିଲ ଶାନ୍ତି ଭୂଷଣଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ବାସଭବନରେ ଶାନ୍ତି ଭୂଷଣଙ୍କ ଦେହାନ୍ତ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ।

ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଶାନ୍ତି ଭୂଷଣ ଆହ୍ଲାବାଦ ହାଇକୋର୍ଟର ଓକିଲ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ଆସି ଏଠାରେ ସୁପ୍ରିମକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ।

‘ରାଜନାରାୟଣ କେସ୍’ ଶାନ୍ତି ଭୂଷଣଙ୍କ ଓକିଲାତି କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାମଲା ଭାବେ ବିବେଚନା କରାଯାଏ । ନ୍ୟାୟପାଳିକା ଇତିହାସରେ ଏହି ବହୁ ଚର୍ଚ୍ଚିତ ମାମଲା ସେତେବେଳେ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ପଦର ଅପବ୍ୟବହାର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏବଂ ଏହି କାରଣରୁ ତାଙ୍କର ଲୋକସଭା ସଦସ୍ୟତା ଅବୈଧ ଘୋଷିତ ହୋଇଥିଲା।

ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ପରେ ଇନ୍ଦିରା ଗାନ୍ଧୀ ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।

ଜରୁରୀକାଳୀନ ପରିସ୍ଥିତି ପରେ ଦେଶରେ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ଇନ୍ଦିରା ଗାନ୍ଧୀ ଗାଦିଚ୍ୟୁତ ହୋଇଥିବା ବେଳେ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଢ଼ିଥିଲା । ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ଜନତା ପାର୍ଟି ସରକାରରେ ଶାନ୍ତି ଭୂଷଣ ଆଇନ ମନ୍ତ୍ରୀ ହୋଇଥିଲେ ।

୧୯୮୦ ମସିହାରେ ସେ ଦଳରେ ଯୋଗ ଦେଇଥିଲେ, କିନ୍ତୁ ନେତୃବର୍ଗ ସହ ମତଭେଦ ପରେ ଛଅ ବର୍ଷ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ।

ଶାନ୍ତି ଭୂଷଣ ଆନ୍ନା ଆନ୍ଦୋଳନ ଏବଂ ଆମ୍ ଆଦମୀ ପାର୍ଟି ଗଠନର ପ୍ରାରମ୍ଭିକ ଦିନ ସହ ମଧ୍ୟ ଜଡିତ ଥିଲେ।

ତାଙ୍କର ଦୁଇ ପୁଅ ଜୟନ୍ତ ଭୂଷଣ ଏବଂ ପ୍ରଶାନ୍ତ ଭୂଷଣ ଦେଶର ଜଣାଶୁଣା ଓକିଲ।

ତାଙ୍କ ପୁଅ ପ୍ରଶାନ୍ତ ଭୂଷଣ ଗଣମାଧ୍ୟମକୁ କହିଛନ୍ତି, “ମୁଁ କେବଳ ଏତିକି କହିପାରେ ଯେ ଏକ ଯୁଗର ସମାପ୍ତି ହୋଇଛି । ସେ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏ ସ୍ୱାଧୀନତା ପରେ ଦେଶର ସମ୍ବିଧାନ ତଥା ଆଇନଗତ ଢାଞ୍ଚାର ବିକାଶକୁ ଅତି ନିକଟରୁ ଦେଇଥିଲେ । ସେ ନିଜର ଅନୁଭୂତି ଦୁଇଟି ପୁସ୍ତକ ‘କୋର୍ଟିଂ ଡେଷ୍ଟିନୀ’ ଏବଂ ‘ମାଏ ସେକେଣ୍ଡ ଇନିଂସ’ ରେ ବର୍ଣ୍ଣନା କରିଛନ୍ତି। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବଡ କ୍ଷତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଭୂଷଣଙ୍କ ବିୟୋଗରେ ନେଇ ଶୋକ ପ୍ରକାଶ କରିଛନ୍ତି। ମୋଦୀ ଟ୍ବିଟ୍ କରି କହିଛନ୍ତି – ଶାନ୍ତି ଭୂଷଣ ଜୀଙ୍କୁ ଆଇନ ଜଗତରେ ଅବଦାନ ପାଇଁ ଏବଂ ଦଳିତଙ୍କ ସ୍ୱର ପାଇଁ ସ୍ମରଣ କରାଯିବ।

Comments are closed.