ଜୁଲାଇ ସୁଦ୍ଧା ଆଉ ୪ ଟିକାକୁ ମିଳିବ ଅନୁମତି

ପୁନେ – ଭାରତରେ ଶନିବାର ଠାରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ ଅଭିଯାନ । ଦେଶର ଜରୁରୀ ବ୍ୟବହାର ପାଇଁ ବର୍ତ୍ତମାନ ଦୁଇଟି ଟିକା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ଅନୁମତି ମିଳିଛି । ଜୁନ୍‌-ଜୁଲାଇ ସୁଦ୍ଧା ଆଉ ୪ ଟିକାକୁ ବି ଅନୁମତି ମିଳିବା ସମ୍ଭାବନା ରହିଛି । ନିତି ଆୟୋଗ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସଦସ୍ୟ ଡକ୍ଟର ଭିକେ ପଲ୍ ଏହି ସୂଚନା ଦେଇଛନ୍ତି ।

ଡକ୍ଟର ପଲ୍ କହିଛନ୍ତି ଯେ, ଆଉ ଚାରି ଟିକା ଉପଲବ୍ଧ ହେଲେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆହୁରି ତ୍ୱରାନ୍ୱିତ ହେବ । ଅହମ୍ମଦାବାଦ ଭିତ୍ତିକ କମ୍ପାନୀ ଜାଏଡସ୍ କାଡିଲା, ରୁଷିଆର ଗାମାଲେୟା, ହାଇଦ୍ରାବାଦର ବାୟୋଲୋଜିକାଲ ‘ଇ’ ଏବଂ ପୁଣେ ସ୍ଥିତ ଜେନ୍ନୋଭା ବାୟୋର୍ଫାମାସ୍ୟୁଟିକାଲ୍ସର ଟିକାକୁ ଅନୁମତି ମିଳିପାରେ । ଏହି ଚାରି ଟିକାର ସମ୍ପ୍ରତି ଟ୍ରାଏଲ୍ ଚାଲିଛି । ଜରୁରୀ ବ୍ୟବହାର ପାଇଁ ସମ୍ପ୍ରତି ଅନୁମତି ଦିଆଯାଇଥିବା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡକ୍ଟର ପଲ୍ କହିଛନ୍ତି । ସବୁ ସ୍ୱାସ୍ଥ୍ୟକର୍ମୀ ନିଜେ ଟିକା ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଟିକା ନେଇ ଲୋକଙ୍କ ମନରେ ରହିଥିବା ଆଶଙ୍କା ଦୂର କରିବା ପାଇଁ ନିକଟରେ ଭାରତୀୟ ମେଡିକାଲ ସଂଘ (ଆଇଏମ୍‌ଏ) ନିଜର ସବୁ କର୍ମଚାରୀଙ୍କୁ ଟିକା ଲଗାଇବାକୁ ଆହ୍ୱାନ କରିଥିଲା ।

Comments are closed.