ଜେଏନୟୁ ପରେ ଜାମିଆ ବିଶ୍ବବିଦ୍ୟାଳୟରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଉତ୍ତେଜନା, ୪ ଛାତ୍ର ଅଟକ

ନୂଆଦିଲ୍ଲୀ: ଜେଏନୟୁ ପରେ ଜାମିଆ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ପ୍ରସ୍ତୁତ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ବିବାଦ ସୃଷ୍ଟି ହୋଇଛି। ଜାମିଆ ବିଶ୍ୱବିଦ୍ୟାଳୟରେ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ୪ ଜଣ ଛାତ୍ରଙ୍କୁ ଅଟକ ରଖାଯାଇଛି। ବୁଧବାର ଦିଲ୍ଲୀ ପୋଲିସ ଏହି ସୂଚନା ଦେଇଛି ।

ଜାମିଆ ବିଶ୍ୱବିଦ୍ୟାଳୟର ଚିଫ୍ ପ୍ରକ୍ଟରଙ୍କ ନିର୍ଦ୍ଦେଶରେ ବିସିସିଆଇ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପୂର୍ବରୁ ଏହି ପଦକ୍ଷେପ ନିଆଯାଇଛି। ଜାମିଆରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କୁ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂରୁ ନିବୃତ୍ତ ରହିବାକୁ କହିଥିଲା ।

ବିନା ଅନୁମତିରେ କ୍ୟାମ୍ପସରେ ଛାତ୍ରମାନଙ୍କର କୌଣସି ବୈଠକ କିମ୍ବା କୌଣସି ଚଳଚ୍ଚିତ୍ରର ସ୍କ୍ରିନିଂ ଅନୁମତି ଦିଆଯିବ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ବିଜ୍ଞପ୍ତିରେ କହିଛି। ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶକୁ ନଷ୍ଟ କରିବାକୁ ଚାହୁଁଥିବା ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି / ସଂଗଠନକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ସମସ୍ତ ପଦକ୍ଷେପ ନେଉଛି। ଏଥିପାଇଁ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଆୟୋଜକଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗତକାଲି ସନ୍ଧ୍ୟାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ତରଫରୁ ମଙ୍ଗଳବାର ରାତି ୯ଟାରେ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ନେଇ ଘୋଷଣା କରାଯାଇଥିଲା । ତେବେ ସ୍କ୍ରିନିଂ ପୂର୍ବରୁ ଛାତ୍ର ସଂଗଠନ କାର୍ଯ୍ୟାଳୟରେ ବିଦ୍ୟୁତ୍ ଓ ଇଣ୍ଟରନେଟ ସଂଯୋଗ କାଟି ଦିଆଯାଇଥିଲା ।

ପ୍ରଶାସନ ବିଦ୍ୟୁତ୍ ଓ ଇଣ୍ଟରନେଟ୍ କାଟି ଦେଇଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି। ପରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ମୋବାଇଲ୍ ଫୋନରେ ଡକ୍ୟୁମେଣ୍ଟାରୀ ଦେଖିବାବେଳେ ସେମାନଙ୍କ ଉପରକୁ ପଥରମାଡ କରାଯାଇଥିବା ଦାବି କରିଥିଲେ। କିଛି ଛାତ୍ର ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସଦସ୍ୟ ଥିଲେ। ତେବେ ଏବିଭିପି ଏହି ଅଭିଯୋଗକୁ ଅସ୍ୱୀକାର କରିଛି।

Comments are closed.