ଫିଫା ବିଶ୍ୱକପ: କ୍ଵାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ  | News Room Odisha

ଫିଫା ବିଶ୍ୱକପ: କ୍ଵାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ 

ଦୋହା: କାତାରରେ ଚାଲିଥିବା ଫୁଟବଲ ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ରବିବାର ରାଉଣ୍ଡ-୧୬ ମ୍ୟାଚ୍‌ରେ ପୋଲାଣ୍ଡକୁ ୩-୧ରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଯୁବ ଖେଳାଳି କିଲିଆନ୍ ଏମବାପେ ଫ୍ରାନ୍ସ ଦଳର ବିଜୟର ହିରୋ ସାଜିଥିଲେ। ସେ ମ୍ୟାଚରେ ଦୁଇଟି ଗୋଲ ସ୍କୋର କରିଥିଲେ। ଏହାଛଡ଼ା ଅଲିଭର ଜିରୋଡ ମଧ୍ୟ ଗୋଟିଏ ଗୋଲ ସ୍କୋର କରି ଏକ ରେକର୍ଡ ସୃଷ୍ଟି କରିଥିଲେ।

ସେ ୫୨ ଗୋଲ୍ ସହ ଫ୍ରାନ୍ସର ସର୍ବାଧିକ ସ୍କୋରର ଭାବେ ଥିଏରି ହେନେରୀ (୫୧)ଙ୍କ ରେକର୍ଡ ଭାଙ୍ଗିଥିଲେ ।

ଫ୍ରାନ୍ସ ମୋଟ ନବମ ଥର ପାଇଁ ଏବଂ ଲଗାତାର ତୃତୀୟ ଥର ପାଇଁ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି।

ଫ୍ରାନ୍ସ ସହିତ ଇଂଲଣ୍ଡ ମଧ୍ୟ ରବିବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଅନ୍ୟ ଏକ ପ୍ରି-କ୍ୱାର୍ଟର ମ୍ୟାଚରେ ଇଂଲଣ୍ଡ ୩-୦ରେ ସେନେଗାଲ ଉପରେ ଏକ ବଡ଼ ବିଜୟ ହାସଲ କରିଥିଲା ।

ଇଂଲଣ୍ଡ ପାଇଁ ମ୍ୟାଚରେ କ୍ୟାପଟେନ ହ୍ୟାରି କେନ୍, ଉପ-ଅଧିନାୟକ ଜୋର୍ଡାନ ହେଣ୍ଡରସନ ଏବଂ ଯୁବ ଖେଳାଳି ବୁକାୟୋ ସାକା ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ।

କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ଏବଂ ଫ୍ରାନ୍ସ ମୁହାଁମୁହିଁ ହେବେ।

ଏହି ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଇଂଲଣ୍ଡ ୧୨ଟି ଗୋଲ ସ୍କୋର କରିଛି। ରୁଷରେ ଅନୁଷ୍ଠିତ ଗତ ବିଶ୍ୱକପରେ ମଧ୍ୟ ଦଳ ମୋଟ ୧୨ଟି ଗୋଲ୍ କରିଥିଲା।