ମଣିପୁରରେ ପୁଣି ହିଂସା, ନିଖୋଜ ତିନି ଜଣଙ୍କ ଶବ ମିଳିଲା | News Room Odisha

ମଣିପୁରରେ ପୁଣି ହିଂସା, ନିଖୋଜ ତିନି ଜଣଙ୍କ ଶବ ମିଳିଲା

ଇମ୍ଫାଲ୍: ମଣିପୁରର ପୁଣି ହିଂସା ଘଟଣା ସାମ୍ନାକୁ ଆସିଛି । କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଜିଲ୍ଲା ଯାଇ ନିଖୋଜ ଥିବା ତିନି ଜଣ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ପୋଲିସ କହିଛି, ମୃତକ ସବୁ ବିଷ୍ଣୁପୁର ଜିଲ୍ଲା ଆକାସୋଇର ବାସିନ୍ଦା। ସେମାନେ ବୁଧବାର ଅପରାହ୍ନରେ ନିକଟସ୍ଥ ପାହାଡ଼ରୁ କାଠ ସଂଗ୍ରହ କରିବାକୁ ଚୁଡାଚନ୍ଦ୍ରପୁର ଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ପୋଲିସ କହିଛି, ଚୁଡାଚନ୍ଦ୍ରପୁର ଜିଲ୍ଲାର ହାଓତକ୍ ଫେଲେନ୍ ନିକଟରେ ଇବୋମା ସିଂ (୫୧), ତାଙ୍କ ପୁଅ ଆନନ୍ଦ ସିଂ (୨୦) ଏବଂ ରୋମେନ ସିଂ (୩୮)ଙ୍କ ମୃତଦେହ ମିଳିଛି। ସେମାନଙ୍କ ସହ ଯାଇଥିବା ଚତୁର୍ଥ ବ୍ୟକ୍ତି ଦାରା ସିଂଙ୍କୁ ଖୋଜିବା ପାଇଁ ତଲାସି ଅଭିଯାନ ଜାରି ରହିଛି । ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଲୋକମାନଙ୍କୁ ଉଗ୍ରବାଦୀମାନେ ହତ୍ୟା କରିଥାଇପାରନ୍ତି |

ଅନ୍ୟପକ୍ଷରେ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଆରସି ତିୱାରୀ ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତିି। ଏହି ସମୟରେ ସେ ଅନେକ ଜିଲ୍ଲାକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ। ଏହି ଗସ୍ତ ସମୟରେ ତିୱାରୀ ସ୍ଥାନୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଜାଣିଥିଲେ।