ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ନିଜ ଦଳ ଉପରେ ଗଡକରୀଙ୍କ କଟାକ୍ଷ, କହିଲେ ନେତା କେବେ ରହିବେ କେବେ ଯିବେ ଜାଣିପାରୁ ନାହାନ୍ତି

ଜୟପୁର: ଗତ କିଛି ମାସ ମଧ୍ୟରେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜ ଦଳ ଉପରେ ହିଁ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେମାନେ ଚିନ୍ତିତ । କାରଣ ସେମାନେ କେତେ ଦିନ ରହିବେ, କେବେ ବିଦା ହେବେ ଜାଣିପାରନ୍ତି ନାହିଁ ।

ଗଡ଼କରୀ କହିଛନ୍ତି, ବିଧାୟକ ମାନେ ମନ୍ତ୍ରୀ ପଦ ନ ପାଇବା ନେଇ ଦୁଃଖୀ ଅଛନ୍ତି । ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ହୋଇନପାରି ନିରାଶ । ଏବଂ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସେମାନେ ମଧ୍ୟ ଆଶଙ୍କାରେ ଅଛନ୍ତି । କାରଣ ସେମାନେ କେତେଦିନ ରହିବେ ଓ କେବେ ବିଦା ହେବେ କିଛି ଗ୍ୟାରେଣ୍ଟି ନାହିଁ ।

ରାଜସ୍ଥାନ ବିଧାନସଭାରେ ଆୟୋଜିତ ‘ସସଂଦୀୟ ବ୍ୟବସ୍ଥା ଓ ଜନତାଙ୍କ ଆଶା’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ଯୋଗଦେଇ ଗଡ଼କରୀ ନିଜ ଦଳର ସ୍ଥିତି ଉପରେ ଏଭଳି କଟାକ୍ଷ କରିବା ଚର୍ଚ୍ଚାର ବିଷୟ ହୋଇଛି । ଗଡ଼କରୀ ରାଜନୀତିକୁ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ପ୍ରଭାବୀ ମାଧ୍ୟମ ରୂପେ ଅଭିହିତ କରି କହିଛନ୍ତି ଯେ, ଗଣତନ୍ତ୍ରର ଉଦ୍ଦେଶ୍ୟ ସମାଜର ଶେଷରେ ଛିଡ଼ା ହୋଇଥିବା ଲୋକର ଜୀବନରେ ପରିବର୍ତ୍ତନ ଆଣିବା । ସମାଜସେବା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଆଜିକାଲିର ନେତା ରାଜନୀତି ଅର୍ଥ କେବଳ କ୍ଷମତା ଦଖଲ ବୋଲି ଭାବୁଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ଗଡ଼କରୀ କହିଛନ୍ତି ।

Comments are closed.