ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ କାହିଁକି ହଟାଗଲା ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ହଟାଇ ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରିଛି । ଅଧିନାୟକ ଭାବେ କୋହଲିଙ୍କ ସଫଳତା ହାର ୭୦%ରୁ ଅଧିକ ଥିବା ସତ୍ତ୍ୱେ ବିସିସିଆଇର ଏହି ନିଷ୍ପତ୍ତି ନେଇ କିଛି ବିଶେଷଜ୍ଞ ଓ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ବିସିିସିଆଇ ସଭାପତି ସୌରଭ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ, କୋହଲି ଟି୨୦ ନେତୃତ୍ୱ ଛାଡିବା ପରେ ରୋହିତଙ୍କୁ ଟି୨୦ ସହ ଦିନିକିଆ ଅଧିନାୟକ ଦାୟିତ୍ୱ ଦେବାକୁ ଚୟନକର୍ତ୍ତା ମାନେ ସ୍ଥିର କରିସାରିଥିଲେ । କାରଣ ସୀମିତ ଓଭର ଫର୍ମାଟରେ ବିସିସିଆଇ ଦୁଇ ଜଣ ଅଧିନାୟକ ଚାହୁଁନଥିଲା ।
ବିସିସିଆଇ ବୁଧବାର ରୋହିତଙ୍କୁ ନୂଆ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ନେଇ ଘୋଷଣା କରିଥିଲା । ରୋହିତ ୨୦୨୩ ବିଶ୍ୱକପ ଯାଏଁ ଏହି ପଦରେ ରହିବେ । ଏକ ନ୍ୟୁଜ୍ ଏଜେନି୍ସକୁ ସାକ୍ଷାତକାରେ ଗାଙ୍ଗୁଲି କହିଛନ୍ତି, ଏହି ନିଷ୍ପତ୍ତି ନେବା ପୂର୍ବରୁ କୋହଲିଙ୍କ ସହ ପରାମର୍ଶ କରାଯାଇଥିଲା । ସେ ମଧ୍ୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିଥିଲେ ।

ଆମେ ବିରାଟଙ୍କୁ ଟି୨୦ ଅଧିନାୟକ ପଦ ନ ଛାଡିବାକୁ ଅନୁରୋଧ କରିଥିଲୁ । କିନ୍ତୁ ସେ ଏହି ଦାୟିତ୍ୱ ଜାରି ରଖିବାକୁ ଚାହୁଁନଥିଲେ । ତେଣୁ ଦୁଇ ଧଳା ବଲ୍ ଫର୍ମାଟରେ ଦୁଇ ପୃଥକ ଅଧିନାୟକ ସ୍ଥିତି ଏଡାଇବା ପାଇଁ ରୋହିତଙ୍କୁ ଟି୨୦ ସହ ଦିନିକିଆ ନେତୃତ୍ୱ ମଧ୍ୟ ଦେବାକୁ ନିଷ୍ପତ୍ତି ହୋଇଥିଲା ବୋଲି ଗାଙ୍ଗୁଲି କହିଛନ୍ତି ।

ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ କୋହଲି ଟି୨୦ ଅଧିନାୟକ ପଦ ଛାଡି ଦେଇଥିଲେ । ତାଙ୍କ ସ୍ଥାନରେ ରୋହିତଙ୍କୁ ଭାରତର ନୂଆ ଟି୨୦ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା ।

ଗାଙ୍ଗୁଲି କହିଛନ୍ତି, ଧଲା ବଲ୍ ଫର୍ମାଟରେ ଏକାଧିକ ନେତୃତ୍ୱ ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାନ୍ତା । ଏହି କାରଣରୁ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ଧଳା ବଲ୍ ଫର୍ମାଟରେ ରୋହିତଙ୍କୁ ନେତୃତ୍ୱ ଦାୟିତ୍ୱ ଦେବା ସହ ଟେଷ୍ଟରେ କୋହଲିଙ୍କୁ ଅଧିନାୟକ ଭାବେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଭାବେ ରୋହିତ ସଫଳ ହେବେ ବୋଲି ଗାଙ୍ଗୁଲି ଆଶା ବ୍ୟକ୍ତ କରିଛନ୍ତି । ଅଧିନାୟକ ଭାବେ ଦିିନିକିଆ ଫର୍ମାଟରେ କୋହଲିଙ୍କ ୭୦ ପ୍ରତିଶତ ବିଜୟ ରେକର୍ଡ ଥିଲା । ତାଙ୍କୁ ଏହି ଦାୟିତ୍ୱରୁ ମୁକ୍ତ କରିବା ପୂର୍ବରୁ ଏହି ପରିସଂଖ୍ୟାନକୁ ବିଚାରକୁ ନିଆଯାଇଥିଲା କି ବୋଲି ପ୍ରଶ୍ନରେ ଗାଙ୍ଗୁଲି କହିଛନ୍ତି, ଆମେ କୋହଲିଙ୍କ ଅଧିନାୟକ ରେକର୍ଡକୁ ବିଚାର କରିଥିଲୁ । ଅଧିନାୟକ ଭାବେ ତାଙ୍କର ଭଲ ରେକର୍ଡ ଅଛି । କିନ୍ତୁ ଦୁଇ ଦୁଇଟି ସୀମିତ ଓଭର ଅଧିନାୟକ ଆମେ ଚାହୁଁନଥିବାରୁ ରୋହିତଙ୍କୁ ଏହି ଫର୍ମାଟର ପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା ।

Comments are closed.