କୋହଲିଙ୍କ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ଉପରେ ଆସିଲା ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ପ୍ରତିକ୍ରିୟା, ଟ୍ବିଟ୍ କରି ଏମିତି କହିଲେ

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରି ବିରାଟ କୋହଲି ସମସ୍ତଙ୍କୁ ଚକିତ କରିଛନ୍ତି ‌। ବିସିସିଆଇ ସହ ବିବାଦ ଓ ଦକ୍ଷିଣ ଆଫ୍ରିକା ଠାରୁ ସିରିଜ୍ ହାରିବା ପରେ ଶନିବାର ଟ୍ବିଟରରେ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ କୋହଲି ଘୋଷଣା କରିଥିଲେ । କୋହଲିଙ୍କ ଏହି ନିଷ୍ପତ୍ତି ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ଆସିଛି । ଗାଙ୍ଗୁଲି କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ବିସିସିଆଇ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛି। ଭବିଷ୍ୟତରେ ଦଳକୁ ନୂଆ ଶିଖରକୁ ନେବା ପାଇଁ ବିରାଟ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ ବୋଲି ଗାଙ୍ଗୁଲି କହିଛନ୍ତି।

ଗାଙ୍ଗୁଲିଙ୍କ ଏହି ପ୍ରତିକ୍ରିୟା ବିଳମ୍ବିତ ରାତିରେ ଏକ ଟୁଇଟ୍ ମାଧ୍ୟମରେ ଆସିଛି। ସେ ଲେଖିଛନ୍ତି, ବିରାଟଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ପ୍ରତ୍ୟେକ ଫର୍ମାଟରେ ଦ୍ରୁତ ଅଗ୍ରଗତି କରିଛି। ଅଧିନାୟକ ପଦରୁ ଇସ୍ତଫା ଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ବିସିସିଆଇ ଏହାକୁ ସମ୍ମାନ କରେ | ଭବିଷ୍ୟତରେ ଦଳକୁ ନୂଆ ଶିଖରକୁ ନେବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବେ | ଏହାଛଡ଼ା କୋହଲି ଙ୍କୁ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ।

ଉଲ୍ଲେଖଯୋଗ୍ୟ, ଟି-୨୦ ଅଧିନାୟକ ଛାଡ଼ିବା ପରେ ଦିନିକିଆ ଅଧିନାୟକ ପଦରୁ ତାଙ୍କୁ ଭାରତୀୟ ବୋର୍ଡ ହଟାଇ ଦେଇଥିଲା । ଏବେ କୋହଲି ଟେଷ୍ଟ ଅଧିନାୟକ ପଦ ବି ଛାଡ଼ି ଦେଇଛନ୍ତି। ସେ ଶନିବାର ସନ୍ଧ୍ୟାରେ ଏକ ଟୁଇଟ୍ ଜରିଆରେ ଅଧିନାୟକ ପଦ ଛାଡିବାକୁ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପରାଜୟର ଗୋଟିଏ ଦିନ ପରେ ତାଙ୍କ ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।

ବିରାଟ କୋହଲି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚର ଅଧିନାୟକତ୍ୱ ଛାଡି ସାରିଛନ୍ତି। ଗତ ବର୍ଷର ଟି-୨୦ ବିଶ୍ୱକପ୍ ଅଧିନାୟକ ଭାବରେ ବିରାଟଙ୍କ ଶେଷ ଟି-୨୦ ଟୁର୍ନାମେଣ୍ଟ ଥିଲା | ଏହା ପରେ ତାଙ୍କ ଠାରୁ ଦିନିକି ଅଧିନାୟକତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା | ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ହ୍ବାଇଟ୍ ବଲ୍ ଦଳର ନେତୃତ୍ବ ଦିଆଯାଇଥିଲା। ହ୍ବାଇଟ୍ ବଲ୍ ନେତୃତ୍ବ ପରିବର୍ତ୍ତନ ପରେ ହିଁ ବିସିସିଆଇ ଏବଂ କୋହଲିଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା ।

Comments are closed.