ବୁଷ୍ଟର୍ ଡୋଜ୍ ବ୍ୟବଧାନ ୯ ରୁ ୬ ମାସକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଗତି ପୁଣି ଉପରମୁହାଁ ହୋଇଥିବା ବେଳେ କେନ୍ଦ୍ର ସରକାର ବୁଷ୍ଟର ଡୋଜ୍ ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି। ଏବେ ବୁଷ୍ଟର୍ ଡୋଜ୍ ୯ ମାସ ପରିବର୍ତ୍ତେ ୬ ମାସ ପରେ ଦିଆଯାଇ ପାରିବ | ଯଦି ଆପଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ବୁଷ୍ଟର୍ ଡୋଜ ପାଇଁ ୯ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦ୍ବିତୀୟ ଡୋଜର ୬ ମାସ କିମ୍ବା ୨୬ ସପ୍ତାହ ପରେ ଆପଣ ବୁଷ୍ଟର ଡୋଜ୍ ନେଇପାରିବେ ।

ସରକାରଙ୍କ ତରଫରୁ କୁହାଯାଇଛି ଯେ ୧୮ ରୁ ୫୯ ବର୍ଷର ଲୋକଙ୍କୁ ବର୍ତ୍ତମାନ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପ୍ରଶାସକଙ୍କୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ବେସରକାରୀ ଟିକାକରଣ କେନ୍ଦ୍ରରେ (ସିଭିସି) ଦ୍ୱିତୀୟ ଡୋଜର ତାରିଖରୁ ୬ ମାସ କିମ୍ବା ୨୬ ସପ୍ତାହ ପରେ ୧୮-୫୯ ବର୍ଷ ବୟସର ସବୁ ଲୋକ ବୁଷ୍ଟର୍ ଡୋଜ ନେଇପାରିବେ |

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଏହି ଚିଠିରେ କୁହାଯାଇଛି ଯେ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜର ୬ ମାସ କିମ୍ବା ୨୬ ସପ୍ତାହ ପରେ ମାଗଣାରେ ବୁଷ୍ଟର ଡୋଜ୍ ଦିଆଯିବ ।

ଟିକାକରଣ ଉପରେ ସରକାରଙ୍କ ପରାମର୍ଶଦାତା ସଂସ୍ଥା ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ଦ୍ବିତୀୟ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲା।

ଏହାଛଡ଼ା, ଏନଟିଏଜିଆଇ ୧୨ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଟିକାକରଣ ପାଇଁ ମଧ୍ୟ ସୁପାରିସ କରିଛି | ଏନଟିଏଜିଆଇ ସୂତ୍ରରୁ ପ୍ରକାଶ ଯେ ୧୨-୧୭ ବର୍ଷ ବୟସ ଶ୍ରେଣୀର କିଶୋରଙ୍କ ଟିକାକରଣ ସଂଖ୍ୟା କମ୍ ରହିଛି । ସେମାନେ ଏଥିରେ ଉନ୍ନତି ସପକ୍ଷରେ ପରାମର୍ଶ ଦେଇଛନ୍ତି । ଏହି ବୟସ ବର୍ଗର କିଶୋର ୧୨ ବର୍ଷ ବୟସ ବର୍ଗର ପିଲାଙ୍କ ଅପେକ୍ଷା ଅଧିକ ବିପଦରେ ଥାଆନ୍ତି | ବୁଷ୍ଟର୍ ଭାବେ କୋର୍ବଭାକ୍ସ ଟିକା ବ୍ୟବହାର ନେଇ ଏନଟିଏଜିଆଇ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ |

Comments are closed.