ହେଟମାୟେରଙ୍କ ପତ୍ନୀଙ୍କ ଉପରେ ମନ୍ତବ୍ୟ ନେଇ ବିବାଦରେ ଗାଭାସ୍କର, କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ ଦାବି କଲେ ପ୍ରଶଂସକ

ମୁମ୍ବାଇ: ପୁଣି ବିବାଦରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର । ଗତ ଶୁକ୍ରବାର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଆଇପିଏଲ୍ ମ୍ୟାଚ୍ ବେଳେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍ ଶିମ୍ରନ୍ ହେଟମାୟେର ଏବଂ ତାଙ୍କ ପତ୍ନୀଙ୍କ ଉପରେ ଅବାଞ୍ଛିତ ମନ୍ତବ୍ୟ ଦେଇ ସମାଲୋଚନାର ସରବ୍ୟ ହୋଇଛନ୍ତି ଗାଭାସ୍କର ।

ତାଙ୍କ ପ୍ରଥମ ସନ୍ତାନର ଜନ୍ମ ପରେ ଆଇପିଏଲକୁ ଫେରି ରାଜସ୍ଥାନ ଦଳ ସହ ଯୋଗ ଦେଇଥିବା ହେଟମାୟେରଙ୍କ ଉପରେ ଗାଭାସ୍କରଙ୍କ ଏକ ମନ୍ତବ୍ୟ ପ୍ରଶଂସକମାନଙ୍କୁ ଭଲ ଲାଗିନଥିଲା । ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ରାଜସ୍ଥାନ ୧୫୧ ରନର ବିଜୟ ଲକ୍ଷ୍ୟ ଜବାବରେ ୧୧୨ ରନରେ ପାଞ୍ଚ ୱିକେଟ ହରାଇଥିଲା । ଏତିକି ବେଳେ ହେଟମାୟେର କ୍ରିଜକୁ ଓହ୍ଲାଇଥିଲେ ।

ସେତେବେଳେ ଗାଭାସ୍କର କମେଣ୍ଟ୍ରି କରୁଥିଲେ । ସେ କହିଥିଲେ ଯେ ହେଟମାୟେରଙ୍କ ପତ୍ନୀ ‘ଡେଲିଭର’ କରିଛନ୍ତି, ଏବେ ହେଟମାୟେର ରୟାଲ୍ସ ପାଇଁ ଡେଲିଭର୍ କରିବେ କି?”

ଏହି ମନ୍ତବ୍ୟ ପାଇଁ ଗାଭାସ୍କରଙ୍କୁ ଟ୍ୱିଟରରେ ପ୍ରଶଂସକମାନେ ସମାଲୋଚନା କରିଥିଲେ । ଏପରିକ କିଛି ଲୋକ ତାଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବାକୁ ଦାବି କରିଥିଲେ ।

ମେ ୧୦ରେ ହେଟମିୟରଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ | ଏଥିପାଇଁ ସେ କିଛି ଦିନ ଆଇପିଏଲ୍ ଛାଡ଼ି ଗାଏନା ଯାଇଥିଲେ । ଚେନ୍ନାଇ ବିପକ୍ଷ ଦଳର ଶେଷ ଲିଗ୍ ମ୍ୟାଚ୍ ପାଇଁ ସେ ରାଜସ୍ଥାନ ଦଳ ସହ ଯୋଗ ଦେଇଥିଲେ । ଚେନ୍ନାଇକୁ ହରାଇ ରାଜସ୍ଥାନ ପ୍ଲେ ଅଫରେ ସ୍ଥାନ ନିଶ୍ଚିତ କରିଥିଲା ।

Comments are closed.