ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ କ୍ଷମା ମାଗିଲେ ଗେହଲୋଟ୍, ତଥାପି ସୋନିଆ ଖପ୍ପା

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ କ୍ଷମା ମାଗିଛନ୍ତି । ସୂଚନାନୁସାରେ, ଅଶୋକ ଗେହଲୋଟ୍ ମଲ୍ଲିକାର୍ଜୁନ ଖଡଗେଙ୍କୁ କହିଛନ୍ତି ଯେ ବିଧାୟକଙ୍କ ବିଦ୍ରୋହ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଗେହଲୋଟଙ୍କ କ୍ଷମା ପ୍ରାର୍ଥନା ସତ୍ତ୍ୱେ ଦଳର ହାଇକମାଣ୍ଡ ଗତକାଲିର ଘଟଣା ନେଇ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ବୈଠକରେ ବିଧାୟକମାନେ ପହଞ୍ଚି ନ ଥିବାରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ଦାୟିତ୍ବରେ ଥିବା ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ଲିଖିତ ଉତ୍ତର ମାଗିଛନ୍ତି। ସୂଚନାଯୋଗ୍ୟ, ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦଳର ହାଇ କମାଣ୍ଡ ରବିବାର ସନ୍ଧ୍ୟାରେ ଜୟପୁରରେ ବିଧାୟକ ଦଳର ଏକ ବୈଠକ ଡାକିଥିଲେ।

କିନ୍ତୁ ଏହି ବୈଠକର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଗେହଲୋଟ୍ କ୍ୟାମ୍ପର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କୁହାଯାଉଥିବା ବିଧାୟକ ଶାନ୍ତି ଧରୱାଲଙ୍କୁ ଭେଟିଥିଲେ। ଏହା ପରେ ସେମାନେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଗେହଲୋଟ୍ କ୍ୟାମ୍ପରୁ କରିବା ପାଇଁ ଦଳର ହାଇ କମାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ । ଗେହଲୋଟ୍ କ୍ୟାମ୍ପର ୯୦ରୁ ଅଧିକ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ ।

ରାଜସ୍ଥାନ କଂଗ୍ରେସ ମଧ୍ୟରେ ଚାଲିଥିବା ଏହି ବିବାଦକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ନେତୃବର୍ଗ ଦ୍ବାରା ପଠାଯାଇଥିବା ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକେନଙ୍କୁ ବିଧାୟକ ଦଳର ବୈଠକ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହି ଘଟଣାକ୍ରମକୁ ନେଇ କଂଗ୍ରେସ ହାଇକମାଣ୍ଡ ଗେହଲୋଟଙ୍କ ଉପରେ କ୍ଷୁବ୍ଧ ଥିବା ଜଣାପଡ଼ିଛି | ଦଳର ବରିଷ୍ଠ ନେତା ତଥା ରାଜସ୍ଥାନର ଦାୟିତ୍ୱରେ ଥିବା ଅଜୟ ମାକେନ୍ ଆଜି ଏହି ଘଟଣା ସମ୍ପର୍କରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ସେ କହିଛନ୍ତି ଯେ ରାଜସ୍ଥାନର ପରିସ୍ଥିତି ସମ୍ପର୍କରେ ମୁଁ ଏବଂ ଗଡଗେ ଜୀ କଂଗ୍ରେସ ସଭାପତିଙ୍କୁ ଅବଗତ କରାଇଛୁ।

ସୋନିଆ ଗାନ୍ଧୀ ଆମଠାରୁ ଏକ ଲିଖିତ ରିପୋର୍ଟ ମାଗିଛନ୍ତି। ଆଜି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଆମେ ସେହି ରିପୋର୍ଟ ଦେବୁ | ଆମେ ସୋନିଆ ଗାନ୍ଧୀଙ୍କୁ ସବୁକିଛି ବିସ୍ତୃତ ଭାବରେ କହିଥିଲୁ | ଆଜି ସକାଳେ ଜୟପୁରରେ ମୁଁ ମଧ୍ୟ କହିଥିଲି ଯେ ଗତ ସନ୍ଧ୍ୟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳର ବୈଠକ କେବଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ପ୍ରସ୍ତାବ ଦିଆଯାଇଥିଲା। ସେହି ବୈଠକର ସମୟ ଏବଂ ସ୍ଥାନ କେବଳ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ପଚାରିବା ପରେ ସ୍ଥିର କରାଯାଇଥିଲା।

Comments are closed.