ଜିଏସଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ, ଏପ୍ରିଲରେ ୧.୬୮ ଲକ୍ଷ କୋଟି ଟଙ୍କା ଆୟ

ନୂଆଦିଲ୍ଲୀ: ସରକାରଙ୍କ ଜିଏସଟି ସଂଗ୍ରହ ପୁଣିଥରେ ସବୁ ରେକର୍ଡ ଭାଙ୍ଗିଛି। ଏପ୍ରିଲରେ ଜିଏସଟି ମାଧ୍ୟମରେ ସରକାର ରେକର୍ଡ ୧.୬୮ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୨୦୨୨ ରେ ଜିଏସଟି ସଂଗ୍ରହ ୧.୪୨ ଲକ୍ଷ କୋଟି ଟଙ୍କା ଥିଲା। ଏପ୍ରିଲର ଜିଏସଟି ସଂଗ୍ରହ ମାର୍ଚ୍ଚ ତୁଳନାରେ ପ୍ରାୟ ୨୫ ହଜାର କୋଟି ଅଧିକ ହୋଇଛି ।

ଏପ୍ରିଲ୍ ମାସ ପାଇଁ ମୋଟ ଜିଏସଟି ସଂଗ୍ରହ ହେଉଛି ୧,୬୭,୫୪୦ କୋଟି ଟଙ୍କା । ସେଥିମଧ୍ୟରୁ ୩୩,୧୫୯ କୋଟି ଟଙ୍କା ସିଜିଏସଟି ଏବଂ ବାକି ୪୧,୭୯୩ କୋଟି ଏସଜିଏସଟି। ଏଥିମଧ୍ୟରୁ ଆଇଜିଏସଟି ୮୧,୯୩୯ କୋଟି ଟଙ୍କା ଥିବାବେଳେ ସେସ୍ ୧୦,୬୪୯ କୋଟି ଟଙ୍କା ।

ଏପ୍ରିଲ୍ ୨୦୨୨ ପାଇଁ ରାଜସ୍ୱ ଗତ ବର୍ଷର ଏହି ସମୟ ତୁଳନାରେ ପ୍ରାୟ ୨୦ ପ୍ରତିଶତ ଅଧିକ ରହିଛି । ଗତ ମାସରେ ସମସ୍ତ ଆମଦାନୀ ସାମଗ୍ରୀରୁ ସଂଗୃହିତ ରାଜସ୍ୱ ପ୍ରାୟ ୩୦ ପ୍ରତିଶତ ଅଧିକ ହୋଇଥିବାବେଳେ ଘରୋଇ ସାମଗ୍ରୀରୁ ଆୟ ୧୭ ପ୍ରତିଶତ ଅଧିକ ରହିଛି । ଜିଏସଟି ସଂଗ୍ରହ ପ୍ରଥମ ଥର ପାଇଁ ୧.୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଏହି ମାସରେ ସର୍ବାଧିକ ଜିଏସଟି ୨୦ ଏପ୍ରିଲରେ ସଂଗ୍ରହ କରାଯାଇଥିଲା ।

Comments are closed.