ଜିଏସଟି ଅଧୀନକୁ ଆସିପାରେ ପେଟ୍ରୋଲ-ଡିଜେଲ, ଆଗାମୀ ବୈଠକରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ସୂଚନାନୁସାରେ, ‘ଏକ ଦେଶ- ଏକ ଦାମ୍’ ଯୋଜନା ଅନୁଯାୟୀ ସରକାର ପେଟ୍ରୋଲ-ଡିଜେଲ, ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା ଉପରେ ବିଚାର କରୁଛନ୍ତି। ସେପ୍ଟେମ୍ବର ୧୭ରେ ଲକ୍ଷ୍ନୌରେ ହେବାକୁ ଥିବା ଜିଏସଟି ପରିଷଦର ବୈଠକରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି। କରୋନା ମହାମାରୀ ପରଠାରୁ ଜିଏସଟି ପରିଷଦର ଏହା ପ୍ରଥମ ଶାରୀରିକ ବୈଠକ ହେବ।

ଜିଏସଟି ପରିଷଦର ଏହି ୪୫ତମ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତା କରିବେ। ଉକ୍ତ ବୈଠକରେ ମନ୍ତ୍ରୀ ଗୋଷ୍ଠୀ ‘ଏକ ଦେଶ-ଏକ ଦାମ୍’ ପ୍ରସ୍ତାବ ଉପରେ ଆଲୋଚନା କରିପାରନ୍ତି। ଜିଏସଟି ଅଧୀନରେ ଏକ କିମ୍ବା ଅଧିକ ପେଟ୍ରୋଲିୟମ ଉତ୍ପାଦ ଆଣିବାକୁ ବୈଠକରେ ଆଲୋଚନା କରାଯାଇପାରେ।

ଯଦି ଜିଏସଟି ପରିଷଦ ମନ୍ତ୍ରୀ ଗୋଷ୍ଠୀର ପ୍ରସ୍ତାବକୁ ଅନୁମୋଦନ କରେ, ତେବେ ଦେଶର ସମସ୍ତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସମାନ ହେବ। କେବଳ ଏତିକି ନୁହେଁ, ଏକକ ଜିଏସଟି ଦର ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ମଧ୍ୟ ହ୍ରାସ ଘଟିବ | ତେବେ ଜିଏସଟି ପରିଷଦ ଏହି ପ୍ରସ୍ତାବରେ ସହମତ ନଥିବା ଜଣାପଡ଼ିଛି। ରାଜସ୍ୱକୁ ଦୃଷ୍ଟିରେ ରଖି ଜିଏସଟି ପରିଷଦର ଉଚ୍ଚ ପଦାଧିକାରୀମାନେ ପେଟ୍ରୋଲିୟମ ଉତ୍ପାଦ ଉପରେ ଏକକ ଜିଏସଟି ଲାଗୁ କରିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ।

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ଏବଂ କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦରୁ ୫.୫୫ ଲକ୍ଷ କୋଟି ରାଜସ୍ୱ ପାଇଥିଲେ। ଏଥିରେ ସରକାର ପେଟ୍ରୋଲ ଏବଂ ଡିଜେଲରୁ ସର୍ବାଧିକ ରାଜସ୍ୱ ପାଇଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୩୨% ଟିକସ ନେଉଛନ୍ତି ଏବଂ ରାଜ୍ୟ ସରକାର ପ୍ରାୟ ୨୩.୦୭% ଟିକସ ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ୩୫ ଏବଂ ରାଜ୍ୟ ସରକାର ଡିଜେଲ ଉପରେ ୧୪% ରୁ ଅଧିକ ଟିକସ ଆଦାୟ କରୁଛନ୍ତି।

Comments are closed.