ବିନା ବରରେ ବିବାହ: ନିଜକୁ ନିଜେ ବାହା ହେଲେ ଗୁଜୁରାଟର କ୍ଷମା ବିନ୍ଦୁ

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । କ୍ଷମା ବିନ୍ଦୁ ନାମ୍ନୀ ଜଣେ ଯୁବତୀ ବୁଧବାର ନିଜକୁ ନିଜେ ବିବାହ କରିଛନ୍ତି। କ୍ଷମା ପୂର୍ବରୁ ଘୋଷଣା କରିଥିଲେ ଯେ ଜୁନ୍ ୧୧ ରେ ତାଙ୍କର ଏହି ବିବାହ ଅନୁଷ୍ଠିତ ହେବ । କିନ୍ତୁ ତାଙ୍କର ଏପରି ବିବାହ ନେଇ ବିବାଦ ସୃଷ୍ଟି ହୋଇଥିଲା । ପଡୋଶୀ ଓ କିଛି ସଂଗଠନ ବିରୋଧ ଏହାକୁ ବିରୋଧ କରିଥିଲେ । ତେଣୁ ବିବାଦ ଏବଂ କୌଣସି ବିଭ୍ରାଟରୁ ବର୍ତ୍ତିବା ପାଇଁ ସେ ନିର୍ଦ୍ଧାରିତ ତାରିଖର ୩ ଦିନ ପୂର୍ବରୁ ନିଜ ସହ ବିବାହ କରିଛନ୍ତି |

କ୍ଷମା ବିନ୍ଦୁ ଶେଷରେ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ନିଜ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ବିବାହ ସମୟରେ ହଳଦୀ, ମେହେନ୍ଦୀ ଓ ଅନ୍ୟ ସବୁ ରୀତିନୀତି ହୋଇଥିଲା ​​| ବରୋଦାର ଗୋତ୍ରି ସ୍ଥିତ ତାଙ୍କ ଘରେ କ୍ଷମା ରୀତିନୀତି ଅନୁଯାୟୀ ବିବାହ କରିଥିଲେ | ତେବେ ଏହି ବିବାହରେ ନା ଥିଲେ ବର ନା ପଣ୍ଡିତ। ଏହି ବିବାହରେ କ୍ଷମାଙ୍କର କିଛି ଘନିଷ୍ଠ ବାନ୍ଧବୀ ଯୋଗ ଦେଇଥିଲେ |

ନିଜକୁ ନିଜେ ବିବାହ କରିବାକୁ ‘ସୋଲୋଗାମି’ କୁହାଯାଏ ଓ ଏହା ଭାରତରେ ପ୍ରଥମ ଦୃଷ୍ଟାନ୍ତ ବୋଲି କୁହାଯାଇଛି । କ୍ଷମା ପୂର୍ବରୁ ଜୁନ୍ ୧୧ ରେ ତାଙ୍କ ବିବାହ ଯୋଜନା ସମ୍ପର୍କରେ ଘୋଷଣା କରିବା ପରଠୁ ଚର୍ଚ୍ଚାରେ ରହିଥିଲେ । ସେବେଠାରୁ ତାଙ୍କ ଘରକୁ ଲଗାତାର ଲୋକଙ୍କ ଲାଇନ୍ ଲାଗିଥିଲା। କ୍ଷମାଙ୍କ ପଡ଼ୋଶୀମାନେ କିନ୍ତୁ ତାଙ୍କର ଏପରି ବିବାହକୁ ବିରୋଧ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ଷମା କହିଛନ୍ତି ଯେ ସେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାରଣ ସେ ଭୟ କରୁଥିଲେ ଯେ ଜୁନ୍ ୧୧ରେ କେହି ତାଙ୍କ ଘରକୁ ଆସି ବିବାଦ ସୃଷ୍ଟି କରିପାରନ୍ତି। ତେଣୁ ସେ ବୁଧବାର ନିଜକୁ ନିଜେ ବିବାହ କରିଛନ୍ତି।

କ୍ଷମା ପୂର୍ବରୁ ମନ୍ଦିରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ | କିନ୍ତୁ ବିଜେପି ନେତାଙ୍କ ବିରୋଧ ପରେ ସେ ଘରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ପଣ୍ଡିତ ମଧ୍ୟ ତାଙ୍କର ବିବାହ ରୀତିନୀତି କରିବାକୁ ମନା କରିଦେଇଥିଲେ। ଏହା ପରେ କ୍ଷମା ଟେପରେ ମନ୍ତ୍ର ବଜାଇ ନିଜର ଏହି ନିଆରା ବିବାହ ସମ୍ପନ୍ନ କରିଛନ୍ତି।

Comments are closed.