ଅଖିଳ ଭାରତୀୟ ଆଖଡ଼ା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ

ଆଲାହାବାଦ: ସାଧୁସନ୍ଥଙ୍କ ସର୍ବବୃହତ ସଂଘ ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଆଲାହାବାଦ ଆଲାପୁର ସ୍ଥିତ ବାଙ୍ଘମ୍ବରୀ ଗାଦି ମଠର ଏକ କୋଠରୀରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆଇଜି ରେଞ୍ଜ କେପି ସିଂହଙ୍କ ସହ ଫରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ି ନାହିଁ।

ନରେନ୍ଦ୍ର ଗିରିଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ ମିଳିଛି ଯେଉଁଥିରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ନାମ ରହିଛି। ଶିଷ୍ୟ ଆନନ୍ଦ ଗିରି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଉକ୍ତ ନୋଟ୍ ରେ ଉଲ୍ଲେଖ କରାଯାଇଛି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ କହିଛନ୍ତି। ସୁଇସାଇଡ୍ ନୋଟ୍ ର ହାତଲେଖା ମଧ୍ୟ ଯାଞ୍ଚ କରାଯିବ ବୋଲି ପୋଲିସ କହିଛି।

ମହନ୍ତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସହରର ବିଭିନ୍ନ ସ୍ଥାନରୁ ତାଙ୍କ ଭକ୍ତମାନେ ବାଙ୍ଘମ୍ବରୀ ଗାଦି ମଠରେ ପହଞ୍ଚିଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଛି। ବର୍ତ୍ତମାନ ମଠ ଭିତରେ କେବଳ ବରିଷ୍ଠ ପୋଲିସ କର୍ମଚାରୀ ଏବଂ ଫରେନସିକ୍ ଟିମ୍ ଅଛନ୍ତି।

ସଙ୍ଗମ ବେଳାଭୂମିରେ ଅବସ୍ଥିତ ବାଙ୍ଘମ୍ବରୀ ଗାଦି ମଠର ମହନ୍ତ ସ୍ବାମୀ ନରେନ୍ଦ୍ର ଗିରି ଏବଂ ତାଙ୍କ ଶିଷ୍ୟ ଯୋଗ ଗୁରୁ ଆନନ୍ଦ ଗିରିଙ୍କ ମଧ୍ୟରେ ମଠ ଜମିକୁ ନେଇ ବିବାଦ ନିକଟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଆନନ୍ଦ ଗିରିଙ୍କୁ ଆଖଡ଼ା ପରିଷଦ ତଥା ବାଙ୍ଘମ୍ବରୀ ଗାଦି ମଠ ପଦାଧିକାରୀ ପଦରୁ ବହିଷ୍କାର କରାଯାଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଲାଗି ରହିଥିଲା। ଏହି ବିବାଦରେ ମଠର ଅଧିକାଂଶ ସାଧୁ ମହନ୍ତ ନରେନ୍ଦ୍ର ଗିରିଙ୍କୁ ସମର୍ଥନ କରିଥିଲେ। ନରେନ୍ଦ୍ର ଗିରି କହିଥିଲେ ଯେ ଯଦି ଆନନ୍ଦ ଗିରି କ୍ଷମା ମାଗନ୍ତି ତେବେ ତାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ ବିଚାର କରାଯିବ। ଆନନ୍ଦ ଗିରି କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ମଠକୁ ଫେରିବା ପାଇଁ ଅନୁମତି ମିଳିନଥିଲା ।

ଅଖିଳ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ବହୁ ନେତା ଶୋକ ପ୍ରକାଶ କରିଛନ୍ତି ।

Comments are closed.