न्यूज़रूम ओडिशा
ब्रेकिंग
ओडिया समाचार

ଲାଞ୍ଚ ନେଇ ଗୃହରେ ଭୋଟ୍ ଦେଲେ ଜନ ପ୍ରତିନିଧିଙ୍କ ବିରୋଧରେ ଚାଲିବ ମକଦ୍ଦମା, ୧୯୯୮ ରାୟକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦ ଓ ବିଧାନସଭାରେ ଭୋଟ୍ ଦେଲେ ଅବା ପ୍ରଶ୍ନ ପଚାରିଲେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଛାଡ଼ ମିଳିବନି। ଏଭଳି ମାମଲାରେ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିବ। ସୋମବାର ସୁପ୍ରିମକୋର୍ଟର ୭ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟ ୨୬ ବର୍ଷ ତଳର ନିଜ ରାୟକୁ ରଦ୍ଦ କରିଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ବୋପାନ୍ନା, [...]

Admin•4 मार्च 2024
Share Article:

ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦ ଓ ବିଧାନସଭାରେ ଭୋଟ୍ ଦେଲେ ଅବା ପ୍ରଶ୍ନ ପଚାରିଲେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ଛାଡ଼ ମିଳିବନି। ଏଭଳି ମାମଲାରେ ସେମାନଙ୍କ ବିରୋଧରେ ମକଦ୍ଦମା ଚାଲିବ। ସୋମବାର ସୁପ୍ରିମକୋର୍ଟର ୭ ଜଣିଆ ସମ୍ବିଧାନ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏଥିସହ ସୁପ୍ରିମକୋର୍ଟ ୨୬ ବର୍ଷ ତଳର ନିଜ ରାୟକୁ ରଦ୍ଦ କରିଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଏସ୍ ବୋପାନ୍ନା, ଏମ୍ ସୁନ୍ଦରେଶ, ପିଏସ୍ ନରସିଂହା, ଜେବି ପାରଦିୱାଲା, ସଞ୍ଜୟ କୁମାର ଏବଂ ମନୋଜ ମିଶ୍ରାଙ୍କ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ପରେ ୫ ଅକ୍ଟୋବର ୨୦୨୩ରେ ରାୟ ସଂରକ୍ଷିତ ରଖିଥିଲେ ।

ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୧୦୫ ଓ ୧୯୪ ଅଧୀନରେ ଲାଞ୍ଚ କାରବାର ମାମଲାରେ ଜନ ପ୍ରତିନିଧିମାନେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ନୁହନ୍ତି । କାରଣ ଲାଞ୍ଚ ନେଉଥିବା ସଦସ୍ୟ ଏକ ଅପରାଧିକ କାର୍ଯ୍ୟ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ପିଭି ନରସିଂହ ସରକାର ମାମଲାର ରାୟରେ ଆମେ ସହମତ ନୋହୁଁ । ସାଂସଦ ଓ ବିଧାୟକଙ୍କ ଦ୍ୱାରା ଦୁର୍ନୀତି ଏବଂ ଲାଞ୍ଚ କାରବାର ଭାରତୀୟ ସଂସଦୀୟ ଗଣତନ୍ତ୍ର କାର୍ଯ୍ୟପ୍ରଣାଳୀକୁ ପ୍ରଭାବିତ କରିଥାଏ ।

ଉଲ୍ଲେଖଯୋଗ୍ୟ, ୧୯୯୩ରେ ପିଭି ନରସିଂହ ରାଓଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ପାଞ୍ଚ ସାଂସଦ ଲାଞ୍ଚ ନେଇ ଭୋଟ୍ ଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିଲା । ସିବିଆଇ ପାଞ୍ଚ ଜେଏମ୍ଏମ୍ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୧୯୯୮ରେ ସୁପ୍ରିମକୋର୍ଟ ଏହି ମାମଲାର ରାୟ ଶୁଣାଇଥିଲେ । ସମ୍ବିଧାନର ଧାରା ୧୦୫(୨) ଅଧୀନରେ ସୁପ୍ରିମକୋର୍ଟ ୩:୨ ଆଧାରରେ ଜେଏମ୍ଏମ୍ ସାଂସଦଙ୍କୁ ଦୋଷମୁକ୍ତ କରିଥିଲେ। ଲାଞ୍ଚ ନେଇ ଗୃହରେ ଭୋଟ୍ ଦେଲେ ଜନ ପ୍ରତିନିଧୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ ବୋଲି କୋର୍ଟ ନିଜ ରାୟରେ କହିଥିଲେ ।

ପୁଣି ୨୦୧୯ରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଯେତେବେଳେ ଜେଏମ୍ଏମ୍ ସୁପ୍ରିମୋ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ଏକ ଲାଞ୍ଚ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟର ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ। ସୀତା ସୋରେନ ୨୦୧୨ ରାଜ୍ୟସଭା ନିର୍ବାଚନରେ ଲାଞ୍ଚ ନେଇ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେତେବେଳେ ସୀତା ସୋରେନ ଜାମାରୁ ଜେଏମ୍ଏମ୍ ବିଧାୟକ ଥିଲେ । ଏହି ମାମଲାରେ ସୀତା ସୋରେନଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଝାଡ଼ଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟ ଆଦେଶ ବିରୋଧରେ ସୀତା ସୋରେନ ୨୦୧୪ରେ ସୁପ୍ରିମକୋର୍ଟ ଯାଇଥିଲେ । ୨୦୧୯ରେ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ଖଣ୍ଡପୀଠ ଏହା ଏକ ଗମ୍ଭୀର ମାମଲା ଦର୍ଶାଇ ୧୯୯୮ ରାୟର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ ।

#Odia#Odisha#News
Share Article:

Related Articles