ଆଜି ପ୍ରସିଦ୍ଧ ପଞ୍ଚୁଦୋଳ, ଐତିହାସିକ ହରିରାଜପୁରରେ ମେଲଣ
ଐତିହାସିକ ହରିରାଜପୁରରେ ଆଜି ପଞ୍ଚ ମହାଦେବ ଙ୍କ ମେଲଣ ଉତ୍ସବ । ପବିତ୍ର ଦୋଳ ଯାତ୍ରା ର ଅନ୍ତିମ ପର୍ବ। ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ ମୂଳତଃ ପଶ୍ଚିମ ଭାରତର ଅଧିଷ୍ଠାତା ହୋଇ ଥିବାରୁ ଏହି ମହାଦେବଙ୍କୁ ସ୍ଥାନୀୟ ଲୋକମାନେ ପଶ୍ଚିମାଶମ୍ଭୁ ବୋଲି କହିଥାନ୍ତି l [...]
ଐତିହାସିକ ହରିରାଜପୁରରେ ଆଜି ପଞ୍ଚ ମହାଦେବ ଙ୍କ ମେଲଣ ଉତ୍ସବ । ପବିତ୍ର ଦୋଳ ଯାତ୍ରା ର ଅନ୍ତିମ ପର୍ବ। ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ ମୂଳତଃ ପଶ୍ଚିମ ଭାରତର ଅଧିଷ୍ଠାତା ହୋଇ ଥିବାରୁ ଏହି ମହାଦେବଙ୍କୁ ସ୍ଥାନୀୟ ଲୋକମାନେ ପଶ୍ଚିମାଶମ୍ଭୁ ବୋଲି କହିଥାନ୍ତି l ଆହୁରି କେତେକ ମତ ଦିଅନ୍ତି ଯେ ଏଠାରେ ଲିଙ୍ଗ ପଶ୍ଚିମାଭିମୁଖୀ ହୋଇ ବିଜେ ଥିବାରୁ ତାଙ୍କୁ ପଶ୍ଚିମା ଶମ୍ଭୁ କୁହାଯାଏ l ହରିରାଜ ପୁର ନିକଟ ଭଁସର ଗ୍ରାମର ପ୍ରଭୁ ନୀଳକଣ୍ଠେଶ୍ଵର କଣ୍ଟିଆ ଗ୍ରାମର ବାଲୁଙ୍କେଶ୍ୱର ଓ କେଦାରେଶ୍ୱର, କୁସୁମାଟି ଗ୍ରାମର ଗତିଶ୍ୱରଦେବ ଆଦି ପାଞ୍ଚୋଟି ରାଜପ୍ରତିଷ୍ଠିତ ଲିଙ୍ଗଙ୍କୁ ନେଇ 1637 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁ ଦୋଳ ମେଲଣ l ଏବେ ଏଠାକୁ ଆସୁଥିବା ବିଗ୍ରହ ସଂଖ୍ୟା କ୍ରମେ ବୃଦ୍ଧି ପାଇ ପ୍ରାୟ ଏକ ଶହକୁ ଟପି ଗଲାଣି l ଅଞ୍ଚଳବାସୀ ମାନେ ମୁଠି ଭିକ୍ଷା ସଂଗ୍ରହ କରି 1637 ଖ୍ରୀଷ୍ଟାବ୍ଦରେ ଏହି ମେଲଣ ଆରମ୍ଭ କରିଥିଲେ l ଉତ୍କଳ ଗଜପତି ରାମଚନ୍ଦ୍ର ଦେବଙ୍କ ତୃତୀୟ ଅଙ୍କ 1568 ବେଳକୁ ହରିରାଜପୁର ଏକ ଅତିଘଞ୍ଚ ପାଣ୍ଡିଆ ଜଙ୍ଗଲରେ ପୂର୍ଣ୍ଣ ଥିଲା ଓ ଏହା ଗଣ୍ଡାରଣ୍ୟଭାବେ ପରିଚିତ ଥିଲା l ଗଜପତିମାନେ ଏହି ଅଞ୍ଚଳରେ ବେଣ୍ଟକ୍ରୀଡ଼ା ବା ଶିକାର କରୁଥିଲେ l ପାଣ୍ଡିଆ ଜଙ୍ଗଲକୁ ବଡ଼ ରଥି ପୁର ଗଡ଼ର ଅଧିପତି ରଣ ସିଂହଙ୍କ ଗୋରୁ ଗାଈ ଚରିବାକୁ ଯାଉଥିଲେ l ରଣ ସିଂହଙ୍କ ଏକ କାଳି ଗାଈ ଗୋଟିଏ ଉଇହୁଙ୍କା ଉପରେ ପ୍ରତିଦିନ ଠିଆ ହେଉଥିଲା l ଗାଈ ପହ୍ନାରୁ କ୍ଷୀର ଝରି ଉଈ ହୁଙ୍କା ଉପରେ ପଡୁଥିଲା l ଗୋରୁ ଜଗୁଆଳିଙ୍କ ଦୃଷ୍ଟିକୁ ଏହା ଆସିବାରୁ ସେମାନେ ରଣ ସିଂହଙ୍କୁ ଏକଥା ଜଣାଇଲେ l ରାଜା ରଣସିଂହ ଏହି ଅଲୌକିକ ଘଟଣା ସ୍ଵ ଚକ୍ଷୁରେ ଦେଖି ସତ୍ୟା ସତ୍ୟ ବିଷୟ ଅବଗତ ହେଲେ l ସେଠାରେ ପାଞ୍ଚ ଗୋଟି ଶିବଲିଙ୍ଗ ରହିଛନ୍ତି ବୋଲି ଦିନେ ତାଙ୍କୁ ସ୍ୱପ୍ନାଦେଶ ହେଲା, ସେ ଏକଥା ଗଜପତିଙ୍କ ନଜରକୁ ଆଣିଲେ l ଗଜପତି ଲୋକଲଗାଇ ସେ ଉଈହୁଙ୍କାକୁ ଖୋଳାଇ ସେଠାରୁ ହିରଣ୍ୟଗର୍ଭ ଏବଂ ଶକ୍ତି ସଂଯୋଜିତ ପାଞ୍ଚ ଗୋଟି ଶିବଲିଙ୍ଗ ପାଇଲେ l ମଝି ଲିଙ୍ଗଟି ଉପରେ ଗୋରୁ ଖୁରାର ଚିହ୍ନ ଥିଲା l ଗଜପତି ପ୍ରତାପରୁଦ୍ର ଦେବ ଏକଥା ଜାଣିଲା ପରେ ସେଠାରେ ଗୋଟିଏ ମନ୍ଦିର ନିର୍ମାଣ କରି, ଲିଙ୍ଗଙ୍କୁ ସ୍ଥାପନ କରାଇଲେ l ଏହି ଶିବପୀଠ ଉପରେ ସେଠିକା ଲୋକମାନଙ୍କର ଅଖଣ୍ଡ ବିଶ୍ୱାସ ରହିଛି l ଶିବ ପୀଠ ପାଖରେ ଏକ ପୁଷ୍କରିଣୀ ଅଛି ଯେଉଁଠାରେ ସ୍ନାନ କଲେ ଲୋକେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ଲାଭ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି l ଏହିଠାରେ ମେଲଣରେ ମିଳିତ ହୋଇଥାନ୍ତି ଶହେରୁ ଅଧିକ ଦୋଳବିମାନ l ହରିହର ଭେଟ ସହିତ ଉଦଯାପିତ ହୁଏ ମେଲଣ l
ହରିରାଜପୁର ମେଳଣର ମୁଖ୍ୟ ଆକର୍ଷଣ ହେଉଛି ଆତସବାଜି ପ୍ରତିଯୋଗିତା l ଆଖପାଖ ଅଞ୍ଚଳର ମାନସିକ ଧାରୀ ବ୍ୟକ୍ତି ତଥା ବାଣୁଆ ମାନେ ଆସି ଆତସବାଜି ପ୍ରତିଯୋଗିତାରେ ଭାଗନେଇ ଥାନ୍ତି l କୃତି ପ୍ରତିଯୋଗୀ ମାନଙ୍କୁ ହରିରାଜପୁର ମେଲଣ କମିଟି ପୁରସ୍କୃତ କରିଥାଏ l ପୂର୍ବେ ଏହି ମେଲଣ ଗୃହ ଉପକରଣ ଏବଂ କୃଷି ସରଞ୍ଜାମ ସଂଗ୍ରହର ମୁଖ୍ୟ କେନ୍ଦ୍ର ଥିଲା l ଶୈବ ଆରାଧନାରେ ପାଞ୍ଚର ଗୁରୁତ୍ୱ ଅଧିକ l ପଞ୍ଚାକ୍ଷରମନ୍ତ୍ର, ପଞ୍ଚଶମ୍ଭୁ, ପଞ୍ଚମୁଖ ଶିବ ଏହାର ସୂଚନା ପ୍ରଦାନ କରିଥାଏ l ଏଠାରେ ପଞ୍ଚଶମ୍ଭୁ ପୂଜନ ପଞ୍ଚ ମହାଭୁତର ପୂଜନ ବୋଲି ଅଭିହିତ ହୋଇଥାଏ l କହିବାକୁ ଗଲେ ପାଞ୍ଚମନ ସଂଯତକରି ଏକ କରିବାର ପ୍ରୟାସ ଏ ପଞ୍ଚଶମ୍ଭୁ ଉପାସନା ଓ ପୂଜନ l
ବାଣରୋଷଣୀ,ଢୋଲ,ଟମକ,କାହାଳି, ଘଣ୍ଟଘଣ୍ଟା ବାଦ୍ୟନାଦ କରି ଓ ଭକ୍ତଗଣଙ୍କ ଅବିର ଖେଳ ଓ ହରିବୋଲଧ୍ୱନୀ ମଧ୍ୟରେ ହରିରାଜପୁର ମେଲଣ ପଡ଼ିଆର ଦୃଶ୍ୟ ଅବର୍ଣ୍ଣନୀୟ। ଆଧୁନିକତା ସ୍ପର୍ଶରେ ଆମର ବହୁ ପରମ୍ପରା ଆଜି ଲୁପ୍ତ ହୋଇ ଯାଇଛି l କିନ୍ତୁ ହରିରାଜପୁରର ଏହି ପ୍ରସିଦ୍ଧ ଐତିହାସିକ ଦୋଳ ମେଲଣ, ଏ ଯାବତ୍ ତାର ପ୍ରସିଦ୍ଧି ବଜାୟ ରଖିଛି l.
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
