न्यूज़रूम ओडिशा
ब्रेकिंग
ओडिया समाचार

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଡ଼ା ତାଗିଦ୍: ବାଇକ୍ ଚଳାଇବା ବେଳେ ହେଲମେଟ୍ ନ ପିନ୍ଧିଲେ ଦରମା ବନ୍ଦ

ପାରଳାଖେମୁଣ୍ଡି: ନିୟମ ସମସ୍ତଙ୍କ ପାଇଁ ରହିଛି। ସମାଜରେ ସୁନାଗରିକ ସୃଷ୍ଟି କରିବା ଦାୟିତ୍ୱ ନିର୍ବାହ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ନିୟମ ପାଳିବା ଉଚିତ୍। ଏହାକୁ ନେଇ ଏବେ ଗଜପତି ଜିଲ୍ଲା ମୋହନା, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ମାନେ ନିଜ ନିଜ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ମଧ୍ୟ ନିଜ ଦୁଇଚକିଆ ଗାଡ଼ିରେ ଯାଆସ କରିବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ଯଦି ନକରିବେ ତେବେ ଦରମା [...]

Admin•29 जून 2024
Share Article:

ପାରଳାଖେମୁଣ୍ଡି: ନିୟମ ସମସ୍ତଙ୍କ ପାଇଁ ରହିଛି। ସମାଜରେ ସୁନାଗରିକ ସୃଷ୍ଟି କରିବା ଦାୟିତ୍ୱ ନିର୍ବାହ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ନିୟମ ପାଳିବା ଉଚିତ୍। ଏହାକୁ ନେଇ ଏବେ ଗଜପତି ଜିଲ୍ଲା ମୋହନା, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ମାନେ ନିଜ ନିଜ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ତାଗିଦ୍ କରିଛନ୍ତି। ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ମଧ୍ୟ ନିଜ ଦୁଇଚକିଆ ଗାଡ଼ିରେ ଯାଆସ କରିବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ଯଦି ନକରିବେ ତେବେ ଦରମା ମିଳିବ ନାହିଁ। ଏହାଦ୍ବାରା ଗୋଟିଏ ପଟେ ସଡ଼କ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ବାସ୍ତବତାରେ ପରିଣତ ହେବା ସହ ସମାଜରେ ନିୟମ ଅନୁପାଳନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଆଦର୍ଶ ନଜିର ସୃଷ୍ଟି କରିପାରିବେ।

ବାଇକ୍, ସ୍କୁଟି ଚଲାଉଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଏକାଧିକ ବିଇଓ। ଏକ ନିଆରା ପଦକ୍ଷେପ ସ୍ବରୂପ ଗଜପତି ଜିଲ୍ଲା ମୋହନା ବିଇଓ ନରେନ୍ଦ୍ର ବେହେରା ଚିଠି ସଂଖ୍ୟା ୧୨୦୮/୨୦୨୪ରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିଙ୍କୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଚକିଆ ଯାନରେ ସ୍କୁଲ ଯିବା ଆସିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ ତାଗିଦ୍ କରିଛନ୍ତି ସେ। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ବିଇଓ। ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହାର ଅବମାନନା କରନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ସୂଚାଇଛନ୍ତି। ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାସକର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବା ସହ ସମ୍ପୃକ୍ତ ବିଦ୍ୟାଳୟର ଅଭିଭାବକଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଇଓ କହିଛନ୍ତି। ସେହି ସମାନ ମର୍ମରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବିଇଓ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦିନକୁ ଦିନ ବୃଦ୍ଧି ପାଉଥିବା ରାସ୍ତା ଦୁର୍ଘଟଣା ହେତୁ ଅନେକ ସମୟରେ ଅକାଳରେ ଧନଜୀବନ ହାନି ଘଟୁଛି। କିନ୍ତୁ ହେଲମେଟ ପିନ୍ଧିଲେ ଅନେକ ମାତ୍ରାରେ ଜୀବନ ରକ୍ଷା ହୋଇପାରିବ ବୋଲି ମତପ୍ରକାଶ ପାଉଛି। ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀମାନେ ବାଇକ, ସ୍କୁଟିରେ ନିଜ ନିଜ ବିଦ୍ୟାଳୟକୁ ଯାଆସ କରୁଥିବାରୁ ସେମାନଙ୍କ ସୁରକ୍ଷା ନିମନ୍ତେ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଗତ କିଛି ବର୍ଷରେ ବାଇକ୍ ଦୁର୍ଘଟଣାରେ ଅନେକ ଶିକ୍ଷକଙ୍କ ଜୀବନ ଚାଲିଯିବା ପରେ ସେମାନେ ସବୁବେଳେ ହେଲମେଟ୍ ପିନ୍ଧି ବାଇକ ଚଳାଇବାକୁ ପରାମର୍ଶ ଦିଆଯାଇଛି। ଅମାନିଆ ଚାଳକଙ୍କୁ ଚେତାବନୀ ସ୍ବରୂପ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ମୋହନା ବିଇଓ ନରେନ୍ଦ୍ର ବେହେରା କହିଛନ୍ତି।

#Odia#Odisha#News
Share Article:

Related Articles