ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କାନାଡ଼ାର ହିନ୍ଦୁ ସଂଗଠନ | News Room Odisha

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ କାନାଡ଼ାର ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ନିକଟରେ ଖାଲିସ୍ତାନୀ ନେତା ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସକୁ ସମର୍ଥନ କରି ଭାରତ ଉପରେ ମଧ୍ୟ ଏଭଳି ଆକ୍ରମଣର ଧମକ ଦେଇଥିଲା । ପନ୍ନୁନର ଏଭଳି ଧମକ ନେଇ କାନାଡାର ଏକ ହିନ୍ଦୁ ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ ପନ୍ନୁନ୍ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡ଼ା ସରକାରଙ୍କ ନିକଟରେ ଦାବି କରିଛନ୍ତି।

କାନାଡ଼ାର ହିନ୍ଦୁ ସଂଗଠନ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁନ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି କାନାଡା ସରକାରଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ଡୋମିନିକ୍ ଲେବ୍ଲାନ୍କଙ୍କୁ ଏକ ଇମେଲ ପଠାଇଛନ୍ତି। ହିନ୍ଦୁ ଫୋରମ୍ ଲେଖିଛି ଯେ ‘ଏଭଳି ବୟାନ ବରଦାସ୍ତ କରାଯିବା ଉଚିତ୍ ନୁହେଁ। ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଆମେ ସରକାରଙ୍କୁ ନିବେଦନ କରୁଛୁ। ଏପରି ଘୃଣା ଭାଷଣ ଦ୍ଵାରା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିବାକୁ ଲୋକଙ୍କୁ ଆହ୍ବାନ କରାଯାଉଛି। ଆମ ନିଜ ସମ୍ପ୍ରଦାୟର ସୁରକ୍ଷା ନେଇ ଚିନ୍ତିତ | ହିନ୍ଦୁ ସଂଗଠନ କହିଛି ପନ୍ନୁନ୍ ଯଦି କାନାଡାର ନାଗରିକ ନୁହେଁ ତେବେ କାନାଡାରେ ତାର ପ୍ରବେଶ ଉପରେ କଟକଣା ଲଗାଯିବା ଉଚିତ । ଯଦି ସେ କାନାଡାର ନାଗରିକ ତେବେ ତା ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ।

ଉଲ୍ଲେଖଯୋଗ୍ୟ, ନିକଟରେ ପନ୍ନୁର ଏକ ଭିଡିଓ ବାର୍ତ୍ତା ଜରିଆରେ ଅକ୍ଟୋବର ୨୧ ରୁ ଭାଙ୍କୋଭର, ୱାଶିଂଟନ୍ ଡିସି, ଲଣ୍ଡନ, ଫ୍ରାଙ୍କଫର୍ଟ୍, ମିଲାନ୍ ଭଳି ଜି-୭ ଦେଶ ଗୁଡ଼ିକରେ ଭାରତର ଦୂତାବାସ ବନ୍ଦ କରାଯିବ ବୋଲିି ଧମକ ଦେଇଥିଲା ।’ ଏହାଛଡ଼ା ଖଲିସ୍ତାନୀ ନେତା ନିଜ୍ଜର ହତ୍ୟା ମାମଲାରେ ପନ୍ନୁନ୍ ଭାରତ ଓ ଭାରତୀୟ ନାଗରିକଙ୍କ ବିରୋଧରେ ବିଷ ଉଗାରି ଥିଲ | ପନ୍ନୁନ୍ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ କାନାଡା ଛାଡିବାକୁ ମଧ୍ୟ ଚେତାବନୀ ଦେଇଥିଲା। କାନାଡାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟ ପନ୍ନୁନର ଏପରି ଧମକ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ।