ନୂଆ ସଂସଦ ଭବନରେ ସ୍ଥାପିତ ହେବ ‘ରାଜଦଣ୍ଡ’, ଜାଣନ୍ତୁ ଏହାର ଐତିହାସିକ ମହତ୍ତ୍ୱ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ରେ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏହି ଅବସରରେ ନବନିର୍ମିତ ସଂସଦ ଭବନରେ ସ୍ଥାପିତ ହେବ ରାଜଦଣ୍ଡ ବା ‘ସେଙ୍ଗୋଲ’ । ପ୍ରାୟ ୨,୦୦୦ ବର୍ଷ ପୁରୁଣା ସଙ୍ଗମ ସମୟର ଏହି ରାଜଦଣ୍ଡ ତାମିଲ ଇତିହାସ ସହ ଜଡ଼ିତ ।

କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ବ୍ରିଟିଶ ଶାସକ ଏହି ରାଜଦଣ୍ଡକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରିଥିଲେ । ଏହାକୁ ଏବେ ନୂଆ ସଂସଦ ଗୃହରେ ରଖାଯିବ। ଏହି ରାଜଦଣ୍ଡ (ସେଙ୍ଗୋଲ) ବର୍ତ୍ତମାନ ଆହ୍ଲାବାଦର ଏକ ସଂଗ୍ରହାଳୟରେ ରଖାଯାଇଛି |ଏହା ଏକ ସ୍ବର୍ଣ୍ଣ ଆବରଣର ଦଣ୍ଡ ଯାହା ଉପରେ ନନ୍ଦୀ (ବୃଷଭ) ଶୋଭା ପାଉଛନ୍ତି ।

୧୯୪୭ ମସିହାରେ ମୂଳ ‘ସେଙ୍ଗୋଲ’ ନିର୍ମାଣରେ ଜଡ଼ିତ ଦୁଇଜଣ ବ୍ୟକ୍ତି ୯୬ ବର୍ଷିୟ ବୁମିଦ୍ଦି ଇଥିରାଜୁଲୁ ଏବଂ ୮୮ ବର୍ଷିୟ ବୁମିଦ୍ଦି ସୁଧାକର ନୂଆ ସଂସଦ ଭବନର ଉଦଘାଟନୀ ସମାରୋହରେ ଯୋଗଦେବେ ବୋଲି ଆଶା କରାଯାଉଛି।

ତାମିଲ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଏସ୍ ରାଜାଭେଲୁଙ୍କ କହିବା ଅନୁସାରେ ରାଜ୍ୟାଭିଷେକ ତଥା କ୍ଷମତା ହସ୍ତାନ୍ତର ସମୟରେ ରାଜାମାନଙ୍କୁ ସମୟାଚାର୍ଯ୍ୟମାନେ (ଆଧ୍ୟାତ୍ମିକ ଗୁରୁ) ଏହି ରାଜଦଣ୍ଡ (ସେଙ୍ଗୋଲ) ଦେଉଥିଲେ, ଯା‌ହା ଚୋଳ ସାମ୍ରାଜ୍ୟର ଏକ ପାରମ୍ପରିକ ପ୍ରଥା ଥିଲା ଏବଂ ଯାହା ଶାସକଙ୍କୁ ସ୍ୱୀକୃତି ଭାବେ ଗୃହୀତ ହେଉଥିଲା ।

“ତାମିଲ ରାଜାମାନଙ୍କ ପାଖରେ ଏହି ‘ସେଙ୍ଗୋଲ’ ରହୁଥିଲା ଯାହା ନ୍ୟାୟ ଏବଂ ସୁଶାସନର ପ୍ରତୀକ ଭାବେ ବିବେଚିତ ହେଉଥିଲା | ସେଙ୍ଗୋଲର ମହତ୍ତ୍ୱ ଦୁଇଟି ଉପନ୍ୟାସ – ସିଲାପାଥିକରାମ ଏବଂ ‘ମଣିମେକାଲାଇ’ରେ ଉଲ୍ଲେଖ କରାଯାଇଛି ।

ରାଜାଭେଲୁ କହିଛନ୍ତି ଯେ ସଙ୍ଗମ ସମୟରୁ ‘ରାଜଦଣ୍ଡ’ର ବ୍ୟବହାର ପ୍ରସିଦ୍ଧ ହୋଇଆସିଛି। ପ୍ରାଚୀନ ଶୈବ ମଠ ଥିରୁବବଦ୍ଧୁଥରାଇ ଆଦିନାମର ମଠାଧୀଶ ୧୯୪୭ ମସିହାରେ ନେହେରୁଙ୍କୁ ଏହି ‘ସେଙ୍ଗୋଲ’ ପ୍ରଦାନ କରିଥିଲେ।

Comments are closed.