ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଜରିମାନା ମନା

ଭୁବନେଶ୍ୱର – ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ ଘୋଷଣା କରାଯାଇଛି। ଘୋଷିତ ନୂଆ ନିୟମ ଅନୁସାରେ ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ କୌଣସି ଜରିମାନା ଦେବାକୁ ପଡ଼ିବନାହିଁ। ଏଥିପାଇଁ ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇ ଜରିମାନାରୁ ବର୍ତ୍ତିପାରିବେ ଗାଡ଼ି ମାଲିକ ଓ ଚାଳକ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

ବୁକିଂ କରିନଥିଲେ ତାହା ହେଲେ ଚେକିଂ ବେଳେ ଧରାପଡିଲେ ଜରିମାନା ଦେବାକୁ ପଡିବ। ଡେଡଲାଇନ ସରିଆସୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି। ଯାହାଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ। ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ନିୟମ ଅନୁସାରେ ଗାଡିଗୁଡିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚଏସଆରପି ଲଗାଇବାର ବିଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଆପଣଙ୍କର ଗାଡ଼ିର ପଞ୍ଜୀକରଣର ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ, ତା’ହେଲେ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲଗାଇବା କାର୍ଯ୍ୟ ଶେଷ କରିବେ। ପଞ୍ଜୀକରଣ ଶେଷ ନମ୍ବର ୩ ଓ ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା, ୫ ଓ ୬ ନମ୍ବର ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା , ୭ ଓ ୮ ନମ୍ବର ଥିବା ଗାଡି ନଭେମ୍ବର ୩୦ ତାରିଖ ସୁଦ୍ଧା ଏବଂ ୯ ଓ ୦ରେ ଶେଷ ହୋଇଛି, ତାହା ଡିସେମ୍ବର ୩୧ ତାରିଖ ନୂଆ ପ୍ଲେଟ ଲଗାଇବାକୁ ପଡ଼ିବ।

Comments are closed.