ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନରୁ ମିଳିଲା ବିପୁଳ ଟଙ୍କା

କଲମ୍ବୋ: ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ହାହାକାର ପଡ଼ିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଟଙ୍କା ମିଳିଛି । ରାଷ୍ଟ୍ରପତି ଭବନକୁ କବଜା କରିଥିବା ବିକ୍ଷୋଭକାରୀମାନେ ଏପରି ଦାବି କରିଛନ୍ତି । ବିକ୍ଷୋଭକାରୀ ଚଟାଣରେ ବସି ବିଡ଼ା ବିଡ଼ା ଟଙ୍କା ଗଣୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଶ୍ରୀଲଙ୍କାର ଦୈନିକ ଦର୍ପଣ ଖବରକାଗଜ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଭବନରୁ ମିଳିଥିବା ଟଙ୍କା ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଛି। ସମସ୍ତ ତଥ୍ୟର ଯାଞ୍ଚ୍ କରିବା ପରେ ସେମାନେ ପରିସ୍ଥିତି ସମ୍ପର୍କରେ ସେମାନଙ୍କୁ ଜଣାଇବେ ବୋଲି ପ୍ରଶାସନ ସୂଚନା ଦେଇଛି।
ଏହା ବ୍ୟତୀତ ରାଷ୍ଟ୍ରପତିଙ୍କ ବାସଭବନରେ ଏକ ହାଇ-ସିକ୍ୟୁରିଟି ବଙ୍କର ଠାବ ହୋଇଥିବା ମଧ୍ୟ ଆଲୋଚନା ହେଉଛି। ଶନିବାର ରାଷ୍ଟ୍ରପତି ଭବନରେ ପ୍ରବେଶ କରିବା ପରଠାରୁ ସେଠାରେ ବିକ୍ଷୋଭକାରୀମାନେ ଏହି କୋଠାକୁ କବଜା କରି ରଖିଛନ୍ତି । ବିକ୍ଷୋଭକାରୀ ପୁରା ରାଷ୍ଟ୍ରପତି ଭବନକୁ କବଜା କରି ଏହି ବିଶାଳ କୋଠା ପରିସରରେ ବୁଲାବୁଲି କରୁଥିବା ଖବର ରହିଛି ।

ଶନିବାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଧଶେଇ ପଶିବା ପରେ କିଛି ଫଟୋ ସାମ୍ନାକୁ ଆସିଥିଲା ଯେଉଁଥିରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ରାଜପକ୍ଷେଙ୍କ ସରକାରୀ ବାସଭବନରେ ସୁଇମିଂ ପୁଲରେ ଡେଇଁ ଗାଧୋଉଥିବାର ନଜର ଆସିଥିଲେ। ଏହି ସମୟରେ କୋଠାର ରୋଷେଇ ଘରରୁ ଏକ ଭିଡିଓ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ଲୋକମାନେ ସେଠାରେ ରୋଷେଇ କରୁଥିଲେ। କେହି କେହି ତାଙ୍କ ଲଜିଂ ରୁମରେ ମସ୍ତି କରୁଥିଲେ ତ ଆଉ କେହି କେହି ଶୋଇବା ଘରେ ପଶି ପଲଙ୍କରେ ଶୋଇଥିଲେ |

ଉଲ୍ଲେଖଯୋଗ୍ୟ ଯେ ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତି ଭବନକୁ କବଜା କରିଥିଲେ । ଏହି ସମୟରେ ସୁରକ୍ଷା ବାହିନୀ ସହ ସେମାନଙ୍କ ସଂଘର୍ଷ ମଧ୍ୟ ହୋଇଥିଲା । ଏଥିରେ ୫୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ ।

ତୀବ୍ର ଜନ ଆନ୍ଦୋଳନର ସମ୍ମୁଖୀନ ହୋଇଥିବା ରାଷ୍ଟ୍ରପତି ଦେଶ ଛାଡି ପଳାଇଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ କୋଉଠି ଅଛନ୍ତି ସେନେଇ କୌଣସି ସୂଚନା ନାହିଁ। ତେବେ ବୁଧବାର ସେ ଇସ୍ତଫା ଦେଇପାରନ୍ତି ବୋଲି ବାଚସ୍ପତି ଘୋଷଣା କରିଛନ୍ତି। ଶନିବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ପରେ ସଂସଦର ବାଚସ୍ପତି ମହିନ୍ଦା ୟାପ ଅଭୟବର୍ଦ୍ଧନେ ରାଜପକ୍ଷେଙ୍କୁ ଇସ୍ତଫା ଦେବା ପାଇଁ ଚିଠି ଲେଖିଥିଲେ। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଭୟବର୍ଦ୍ଧନେ ରାଜପକ୍ଷେଙ୍କୁ ଚିଠି ଲେଖିଥିଲେ। ସେପଟେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ ଗତକାଲି ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଶ୍ରୀଲଙ୍କା ଏକ ଘୋର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ଅଢ଼େଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି | ବୈଦେଶିକ ମୁଦ୍ରା ଅଭାବରୁ ଦେଶକୁ ଇନ୍ଧନ ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ପାଇଁ ଶ୍ରୀଲଙ୍କା ଅସମର୍ଥ। ଏପରି ପରିସ୍ଥିତି ମଧ୍ୟରେ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି।

Comments are closed.