ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସହ ସବୁ ମୁଖ୍ୟମନ୍ତ୍ରୀ ନେବେ ଟିକା

ନୂଆଦିଲ୍ଲୀ – ଦେଶରେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେବେ । ଟିକା ପ୍ରତି ସାଧାରଣ ଲୋକଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ସବୁ ମୁଖ୍ୟମନ୍ତ୍ରୀ ଟିକା ନେବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି । ଏହାଛଡ଼ା ୫୦ ବର୍ଷରୁ ଊର୍ଦ୍ଧ୍ୱ ନେତାମାନଙ୍କୁ ମଧ୍ୟ ଟିକା ଲଗାଯିବ । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ ।

ସମ୍ପ୍ରତି ଚାଲିଥିବା ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସବୁ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଟିକାକୁ ନେଇ କିଛି ଲୋକଙ୍କ ମନରେ ଭୟ ବି ରହିଛି । ଟିକା ପ୍ରତି ଲୋକଙ୍କ ମନରୁ ଭୟ ଓ ସନ୍ଦେହ ଦୂର କରିବା ପାଇଁ ସରକାରୀ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି ।

ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସହ ବିଭିନ୍ନ ପୁରୁଣା ରୋଗରେ ପୀଡିତ ୫୦ ବର୍ଷରୁ କମ୍ ଲୋକଙ୍କୁ ଟିକା ଲଗାଯିବ । ଉଲ୍ଲେଖଯୋଗ୍ୟ, ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ । ସାଧାରଣ ଲୋକଙ୍କୁ ଟିକା ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜେ ଟିକା ନେଇ ଏହାର ପ୍ରଭାବ ଓ ସୁରକ୍ଷା ନେଇ ପ୍ରମାଣ କରନ୍ତୁ ବୋଲି ବିରୋଧୀ ଦଳର କିଛି ନେତା ଚ୍ୟାଲେଞ୍ଜ କରିଥିଲେ ।

Comments are closed.