ଆଜି ବିଶାଖାପାଟଣାରେ ଦ୍ବିତୀୟ ଦିନିକିଆ, ରୋହିତ ଫେରିବେ

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ୱିତୀୟ ଦିନିକିଆ ଏଠାରେ ଖେଳାଯିବ । ପାରିବାରିକ କାରଣରୁ ମୁମ୍ବାଇରେ ପ୍ରଥମ ମ୍ୟାଚ୍ ଖେଳିନଥିବା ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିବାକୁ ଥିବାବେଳେ ଭାରତ ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିବ ।

ଓ୍ବାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଲୋ’ ସ୍କୋରିଂ ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା । ରାହୁଲ ଅପରାଜିତ ୭୫ ରନର ଇନିଂସ ଖେଳି ଭାରତୀୟ ଦଳର‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ତାଙ୍କ ଖରାପ ଫର୍ମ ଧାରାର ଅନ୍ତ ଘଟାଇଥିଲେ । ଖରାପ ଫର୍ମ ଯୋଗୁଁ ରାହୁଲ ବର୍ଡର-ଗାଭାସ୍କର ସିରିଜର ତୃତୀୟ ଓ ଚତୁର୍ଥ ଟେଷ୍ଟରୁ ବାଦ୍ ପଡିଥିଲେ ।

ଆଣ୍ଠୁରେ ଆଘାତ ଏବଂ ପରବର୍ତ୍ତୀ ଅସ୍ତ୍ରୋପଚାର ଯୋଗୁଁ ପାଖାପାଖି ଆଠ ମାସ ପରେ ଦିନିକିଆ କ୍ରିକେଟ୍ ଖେଳୁଥିବା ଜାଡେଜା ମଧ୍ୟ ପ୍ରଥମ ମ୍ୟାଚରେ ଅପରାଜିତ ୪୫ ରନ୍ କରିଥିଲେ। ସେ ବୋଲିଂରେ ମଧ୍ୟ ସଫଳ ହୋଇଥିଲେ । ଏହି ଅଲରାଉଣ୍ଡର ୪୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଏଥିପାଇଁ ସେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ହୋଇଥିଲେ ।
ଭାରତ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ରାହୁଲଙ୍କ ଫର୍ମ ଏବଂ ସମ୍ପୂର୍ଣ୍ଣ ଫିଟ୍ ଜାଡେଜା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବେ। ଏହି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଚୟନକର୍ତ୍ତାଙ୍କୁ ଏହି ଦୁଇ ଖେଳାଳିଙ୍କ ଅଗ୍ରଗତି ଆକଳନ କରିବାରେ ସହାୟକ ହେବ |

ଅନ୍ୟପକ୍ଷରେ ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଚାହିଁବ । ଏହାଛଡ଼ା ଘରୋଇ ଦଳ ବ୍ୟାଟିଂରେ ମଧ୍ୟ ଉନ୍ନତି ଆଣିବାକୁ ଚାହିଁବ । କାରଣ ମୁମ୍ବାଇରେ ୧୮୯ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ଏକଦା ୩୯ ରନରେ ୪ଟି ୱିକେଟ୍ ହରାଇଥିଲା । ଏବଂ ପରେ ସ୍କୋର ୮୩/୫ ହୋଇଯାଇଥିଲା ।

ଅଧିନାୟକ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଭାବରେ ଟପ୍-ଅର୍ଡରକୁ ମଜବୁତ କରିବ, ଯାହା ଅଷ୍ଟ୍ରେଲୀୟ ପେସର୍ ମିଚେଲ ଷ୍ଟାର୍କଙ୍କ ପେସ୍ ଓ ‘ଭେରିଏସନ’ ଆଗରେ ସଂଘର୍ଷ କରିଥିଲା ।
ଇଶାନ୍ କିଶନ ମାତ୍ର ତିନି ରନ୍ କରି ମାର୍କସ ଷ୍ଟୋଇନିସଙ୍କ ବଲରେ ଆଉଟ୍ ହୋଇଥିଲେ। ତା’ପରେ ଷ୍ଟାର୍କ ତିନୋଟି ୱିକେଟ୍ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ​​| ବିରାଟ କୋହଲି (୦୪), ସୂର୍ଯ୍ୟକୁମାର ଯାଦବ (୦) ଓ ଶୁବମାନ ଗିଲ (୨୦) ଶୀଘ୍ର ପାଭିଲିୟନ ଫେରିଥିଲେ।

ଭାରତୀୟ ବ୍ୟାଟ୍ସମ୍ୟାନ୍ ବେଳେବେଳେ ଅଷ୍ଟ୍ରେଲିଆର ବାମହାତୀ ପେସରଙ୍କ ବିପକ୍ଷରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅବଶିଷ୍ଟ ଦୁଇଟି ମ୍ୟାଚରେ ଷ୍ଟାର୍କଙ୍କୁ ସାମ୍ନା କରିବା ସେମାନଙ୍କୁ ଘରୋଇ ପରିବେଶରେ ଭଲ ଅଭ୍ୟାସ ଯୋଗାଇବ । କାରଣ ଅକ୍ଟୋବର-ନଭେମ୍ବରରେ ବିଶ୍ୱକପକୁ ଉପରେ ନଜର ରହିବ।
ରୋହିତ ଇନିଂସ ଓପନ କରିବାକୁ ଥିବାବେଳେ କିଶାନଙ୍କୁ ନିୟମିତ ଅଧିନାୟକଙ୍କ ପାଇଁ ବାଟ ଛାଡ଼ିବାକୁ ପଡ଼ିବ।
ପ୍ରଥମ ଦିନିକିଆରେ କୋହଲି ଏବଂ ଗିଲଙ୍କ କମ୍ ସ୍କୋର ନେଇ ଅଧିକ ଚିନ୍ତା କରିବାର କାରଣ ନାହିଁ । କିନ୍ତୁ ସୂର୍ଯ୍ୟକୁମାର ଯାଦବ ୫୦ ଓଭର ଫର୍ମାଟରେ ସଂଘର୍ଷ କରିବା ଚିନ୍ତାର କାରଣ ହୋଇପାରେ |

ଟି-୨୦ କ୍ରିକେଟରେ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ଦିନିକିଆରେ ଅନୁରୂପ ଖ୍ୟାତି ଅର୍ଜନ କରିପାରି ନାହାଁନ୍ତି। ସେ ଚଳିତ ବର୍ଷ ପାଞ୍ଚଟି ଦିନିକିଆ ଖେଳିଥିବା ବେଳେ ଥରେ ବି ଅର୍ଦ୍ଧଶତକ ହାସଲ କରିପାରି ନାହାଁନ୍ତି।
ଶ୍ରେୟସ୍ ଆୟରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନ ଥିବାରୁ ଭାରତ ଚାରି ନମ୍ବର ସ୍ଥାନ ପାଇଁ ସୂର୍ଯ୍ୟକୁମାରଙ୍କୁ ବଜାୟ ରଖିବ।

ଭାରତୀୟ ବୋଲରମାନେ ମୁମ୍ବାଇରେ ଚମତ୍କାର ପ୍ରଦର୍ଶନ କରିଥିଲେ । ପେସ୍ ଉପଯୋଗୀ ପିଚରେ ପେସର୍ ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଘାଇଲା କରିଥିଲେ । କିନ୍ତୁ ରିଷ୍ଟ ସ୍ପିନର କୁଲଦୀପ ଯାଦବ ପ୍ରଭାବିତ କରିପାରି ନଥିଲେ।

ତେବେ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ପେସର ଦାୟିତ୍ବ ତୁଲାଇବାକୁ ଥିବାବେଳେ ଟିମ୍ ମ୍ୟାନେଜମେଣ୍ଟ ବୋଲିଂ ଲାଇନ୍ ଅପରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ।

ବିଶାଖାପାଟଣାରେ ରବିବାର ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଗ ମେଘୁଆ ରହିଲେ ଉଭୟ ଦଳର ଦ୍ରୁତ ବୋଲର ବଲ୍ ସୁଇଙ୍ଗ୍ କରିପାରିବେ |
ସିରିଜ୍ ସମୟରେ ଅଷ୍ଟ୍ରେଲିଆ ମଧ୍ୟ ବିଭିନ୍ନ କମ୍ବିନେସନ ପ୍ରୟୋଗ କରିବାକୁ ଚେଷ୍ଟା କରିବ | ଶୁକ୍ରବାର ଦଳ ଚାରି ଅଲରାଉଣ୍ଡର – ମିଚେଲ ମାର୍ଶ, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ସହ ଓହ୍ଲାଇଥିଲା । ଏହି କାରଣରୁ କଙ୍ଗାରୁ ଦଳ ଭାରତକୁ ଅଧିକ ଅସୁବିଧାରେ ପକାଇ ପାରିନଥିଲା, ଯାହା ଅଧିନାୟକ ଷ୍ଟିଭ ସ୍ମିଥଙ୍କ ପାଇଁ ଚିନ୍ତାର ବିଷୟ ହେବ |

Comments are closed.