ଆଜି ଦ୍ୱିତୀୟ ଟି୨୦: ଜୟଯାତ୍ରା ଜାରି ରଖିବା ଲକ୍ଷ୍ୟରେ ଭାରତ | News Room Odisha

ଆଜି ଦ୍ୱିତୀୟ ଟି୨୦: ଜୟଯାତ୍ରା ଜାରି ରଖିବା ଲକ୍ଷ୍ୟରେ ଭାରତ

ଥିରୁଭନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟି୨୦ ଆଜି ଥିରୁଭନନ୍ତପୁରମରେ ଖେଳାଯିବ । ବିଶାଖାପଟନମରେ ଅନୁଷ୍ଠିତ ହାଇସ୍କୋରିଂ ପ୍ରଥମ ଟି୨୦ ମ୍ୟାଚରେ ସଂଘର୍ଷପୂର୍ଣ୍ଣ ୨ ଓ୍ବିକେଟ୍ ବିଜୟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏଠାରେ ବି ଜୟଯାତ୍ରା ଜାରି ରଖିବାକୁ ଚାହିଁବ । ରବିବାର ଏହି ମ୍ୟାଚରେ ଭାରତୀୟ ବୋଲର ନିଜ ଫର୍ମ ସୁଧାରିବାକୁ ଚେଷ୍ଟା କରିବେ।

ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏଥିରେ ବ୍ୟାଟରଙ୍କ ଅବଦାନ ଅଧିକ ରହିଥିଲା। ଭାରତୀୟ ବୋଲର ୨୦୮ ରନ୍ ବ୍ୟୟ କରିଥିବା ବେଳେ କେବଳ ମୁକେଶ କୁମାର ଓ ଅକ୍ଷର ପଟେଲ ପ୍ରଭାବ ବିସ୍ତାର କରିପାରିଥିଲେ। ଉଭୟ ବୋଲର ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ରନଗତି ରୋକିବାରେ ସମର୍ଥ ହୋଇଥିଲେ। ତେବେ କେରଳର ଗ୍ରୀନ୍ ଫିଲ୍ଡ ଷ୍ଟାଡିୟମରେ ଖେଳା ଯିବାକୁ ଥ‌ିବା ମ୍ୟାଚ୍ ମଧ୍ୟ ହାଇ ସ୍କୋରିଂ ହୋଇପାରେ । ତେଣୁ ଭାରତୀୟ ବୋଲର ଏହି ମ୍ୟାଚରେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତତମ ଶତକ ହାସଲ କରିଥିବା ଜୋଶ ଇଂଲିଶଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଷ୍ଟିଭ୍ ସ୍ମିଥ୍‌ଙ୍କୁ ଓପନ କରାଇବାର ରଣନୀତି ଫେଲ୍ ମାରିଥିବା ବେଳେ ଅନ୍ୟ ବିକଳ୍ପ ଉପରେ ନଜର ପକାଇବ ଅଷ୍ଟ୍ରେଲିଆ। ସେହିପରି ତନଭୀର ସାଂଘାଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ଖେଳାଇପାରେ ଅଷ୍ଟ୍ରେଲିଆ।